ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ପରେ ଏବେ କଂଗ୍ରେସ ମଧ୍ୟ ତାର ବିଧାୟକମାନଙ୍କ ପାଇଁ ହ୍ୱିପ୍ ଜାରି କରିଛି । କଂଗ୍ରେସ ପକ୍ଷରୁ ସମସ୍ତ ବିଧାୟକଙ୍କୁ ୧୩ ମାର୍ଚ୍ଚରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡି ନ ଯିବାକୁ ଓ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚତୁର୍ଥ ରାଜ୍ୟସଭା ଆସନକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ଏହି ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରାଯାଇଛି ଅନ୍ୟପଟେ ବିଜେପି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ଯାଇଛି । ସେ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।କଂଗ୍ରେସ ପକ୍ଷରୁ ଜାରି ଏକ ନୋଟ୍ରେ କୁହାଯାଇଛି ଯେ, ୨୦୨୬ ମସିହାର ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ୧୬ ମାର୍ଚ୍ଚ ସୋମବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ପରିସରରେ ହେବ । ଏହାକୁ ତିନି ଧାଡି ହ୍ୱିପ୍ ଭାବରେ ବିବେଚନା କରି ସମସ୍ତ ବିଧାୟକଙ୍କୁ କଡ଼ା ପାଳନ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ସେପଟେ ବିଜେଡିକୁ ଘାରିଛି କ୍ରସ ଭୋଟିଂ ଭୟ । ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି(ବୁଧବାର) ଦଳ ପକ୍ଷରୁ ତାନି ଧାଡିଆ ହ୍ବିପ୍ ଜାରି କରାଯାଇଛି । ଯେଉଁଥିରେ ବିଧାୟକଙ୍କୁ ମାର୍ଚ୍ଚ 13ରୁ 16 ପର୍ଯ୍ୟନ୍ତ ଭୁବନେଶ୍ବର ନଛାଡିବା ପାଇଁ କୁହାଯାଇଛି । ତେବେ ରାଜ୍ୟସଭା ନିର୍ବାଚନରେ ଦଳର ହ୍ବିପ୍ ଉଲ୍ଲଂଘନ କଲେ ସଭ୍ୟ ପଦ ରଦ୍ଦ ହେବାର ସମ୍ଭାବନା ନାହିଁ । ତେବେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ହ୍ବିପ୍ ଜାରି କରିଛନ୍ତି ।
