ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବାରୁ କଂଗ୍ରେସ ନେତା ଏବଂ ଓକିଲ କୌସ୍ତବ ବାଗ୍ଚି ଗିରଫ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାକପୁର ସ୍ଥିତ ବାଗ୍ଚିଙ୍କ ବାସଭବନରେ ଏକ ବିଶାଳ ପୁଲିସ ଟିମ୍ ଚଢ଼ଉ କରି ଶନିବାର ଭୋର୍ ପ୍ରାୟ ୩.୩୦ ସମୟରେ ବାଗ୍ଚିଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ବାଗ୍ଚିଙ୍କୁ ବୁରତୋଲ୍ଲା ଥାନାକୁ ଅଣାଯାଇଛି। ଅନ୍ୟପକ୍ଷେ ବାଗ୍ଚିଙ୍କ ଗିରଫକୁ ବିରୋଧ କରି ଦଳୀୟ କର୍ମୀମାନେ ଥାନା ବାହାରେ ଆନ୍ଦୋଳନ କରିଛନ୍ତି।
ସାଗରଡିହି ଉପନିର୍ବାଚନରେ କଂଗ୍ରେସର ବିଜୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ତେବେ ବାଗ୍ଚି ମମତାଙ୍କ ବ୍ୟକ୍ତିଗତ ଆକ୍ରମଣର ଜବାବ ଦେବାପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ବାଗ୍ଚି କହିଥିଲେ ଯଦି ଟିଏମ୍ସି ଏଭଳି ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି ତେବେ ଆମେ ଆଇଏଏସ ଅଫିସର ଦୀପକ ଘୋଷଙ୍କ ପୁସ୍ତକକୁ ବାଣ୍ଟିଦେବୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ରମଣ କରିବୁ। ଏହି ପୁସ୍ତକରେ ମମତା ଓ ଟିଏମ୍ସିକୁ କଡ଼ା ସମାଲୋଚନା କରାଯିବା ସହ ବିଭିନ୍ନ ବିବାଦୀୟ ତଥ୍ୟ ରହିଛି। ତେବେ ବାଗ୍ଚିଙ୍କର ଏଭଳି ଟିପ୍ପଣୀ ପରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ବାଗ୍ଚିଙ୍କ ଗିରଫକୁ ରାଜ୍ୟରେ ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଛନ୍ତି।