Odia News Portal

ପଞ୍ଚାୟତ ନିର୍ବାଚନ ମନ, ଆନ୍ଦୋଳନ ସପକ୍ଷରେ ନାହାନ୍ତି ସାଧାରଣ ଲୋକ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ତୁ ତୁ ମେ ମେ ଚାଲିଥିବାବେଳେ ସାଧାରଣ ଲୋକଙ୍କର କିନ୍ତୁ ଏଥିପ୍ରତି ଆଗ୍ରହ ନାହିଁ । ମୁଣ୍ଡ ଉପରେ ଥିବା ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ଗାଁ କି ସାହିରୁ କିଏ ପ୍ରାର୍ଥୀ ହେବ, କିଏ ଜିତିବ ଓ କିଏ ହାରିବ ତାହାକୁ ନେଇ ଚର୍ଚ୍ଚା । ଏବେ ଭୋଟର ତାଲିକାରେ ନାମ ଭର୍ତ୍ତି ଓ ସଂଶୋଧନ ଚାଲିଥିବାରୁ ସେଥିରେ ଗାଁ ଗହଳର ଲୋକେ ବ୍ୟସ୍ତ ।

ମମିତା ମେହେର ପ୍ରସଙ୍ଗରେ ଏବେ ନିଇତି ବିରୋଧି କଂଗ୍ରେସ ଓ ବିଜେପି ରାସ୍ତାଘାଟରେ ଆନ୍ଦୋଳନ କରୁଛନ୍ତି । କିଏ ଅଣ୍ଡା ମାରୁଛି ତ ଆଉ କିଏ କଳାପତାକା ଦେଖାଉଛି । ଏହାକୁ ନେଇ ଅନେକ ସ୍ଥାନରେ ପୁଲିସ ସହ ମୁକାବିଲା । ତେବେ ବିରୋଧିଙ୍କ ଏହି ଆନ୍ଦୋଳନରେ ସାଧାରଣ ଲୋକେ ଯେଭଳି ଯୋଡିହେବା କଥା ତାହା ଦେଖିବାକୁ ମିଳୁନହିଁ । କାରଣ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଲୋକଙ୍କର ଆଉ ଏଥିରେ ରୁଚି ନାହିଁ । ସେମାନେ ଏବେ ନିଜ ନିଜର ସରପଞ୍ଚ, ୱାର୍ଡମେମ୍ବର କାହାକୁ କରିବେ ସେଥିନେଇ ଅଙ୍କ କଷିବାରେ ଲାଗିଛନ୍ତି ।

କେବଳ କାହାକୁ ପ୍ରାର୍ଥୀ କରିବେ ତାହା ନୁହେଁ ରାଜ୍ୟ ନିର୍ବାଚନ କମିଶନ ସଂରକ୍ଷଣ ତାଲିକା ପ୍ରକାଶ କରିଥିବାରୁ ଏହାକୁ ନେଇ ଏବେ ଗାଁ ଗହଳରେ ବିଭିନ୍ନ ଦଳର ନେତା ଓ ସେମାନଙ୍କ କର୍ମୀମାନଙ୍କର ବି ରକ୍ତଚାପ ବଢିବାରେ ଲାଗିଛି । ବହୁ ଆଶାୟୀ ହତାଶ ହୋଇଥିବାବେଳେ ଏବେ କିଭଳି ନିଜ ନିଜ ମନପସନ୍ଦରର ପ୍ରାର୍ଥୀଙ୍କୁ ଜିଣାଇବେ ସେଥିପାଇଁ ଗୋଟଚାଳନା କରୁଛନ୍ତି । କେତେକ ସ୍ଥାନରେ ତ ଏବେ ଠାରୁ ପ୍ରାର୍ଥୀ କିଣା ବିକା ପାଇଁ ଅଗ୍ରୀମ ଦିଆଗଲାଣି । ବିଶେଷକରି ଯେଉଠାରେ ନେତାମାନେ ଶତ ପ୍ରତିଶତ ଜିଣିବାର ଆଶା ବାନ୍ଧି ବସିଥିଲେ ଓ ସଂରକ୍ଷଣ ନିୟମରେ ସେମାନେ କାଟ୍‍ ଖାଇଯାଇଛନ୍ତି ସେମାନେ ଏବେ ପଡିଶା ପଞ୍ଚାୟତରୁ ନିଜେ କିମ୍ବା ନିଜ ସମ୍ପର୍କୀଙ୍କୁ ଜିଣାଇବାପାଇଁ ଆଗୁଆ ମୁଲଚାଲ ଆରମ୍ଭ କରିଦେଲେଣି ।

ତେବେ ତିନି ଦଳର ଏଭଳି ନିଇତି ହୋ ହଲ୍ଲା ଦେଖି ବି କିଛି ଲୋକେ ଅତିଷ୍ଠ ହେଲେଣି । ଏମାନଙ୍କ ନଜର ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ଥିବାରୁ ସେଥିପାଇଁ ଏଭଳି ଆନ୍ଦୋଳନ, ଅଣ୍ଡାମାଡ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନିର୍ବାଚନ ଥିବାରୁ ଗୋଟିଏ ସମ୍ବେଦନଶୀଳ ଘଟଣାକୁ ଭିନ୍ନ ଭିନ୍ନ ରୂପ ଦେବାରେ ଲାଗିଛନ୍ତି । ପ୍ରତିଦିନ ଯେଭଳି ନୂଆ ନୂଆ ତଥ୍ୟକୁ ନେଇ ଶାସକ ବିରୋଧି ମୁହାଁମୁହିଁ ହେଉଛନ୍ତି ସେଥିରୁ ସାଧାରଣ ଲୋକଙ୍କର କିଛି ଲାଭ ହେବନାହିଁ ବୋଲି ସେମାନେ ଧିରେ ଧିରେ ବୁଝିବା ଆରମ୍ଭ କରିଛନ୍ତି । ଯାହା ଫଳରେ ବିରୋଧିମାନେ ମମିତା ଘଟଣାକୁ ଯେତେ ମାତ୍ରାରେ ଉଠାଇବାକୁ ଚାହୁଁଛନ୍ତି ତାହା ହୋଇପାରୁ ନାହିଁ । ପଞ୍ଚାୟତ ର୍ନିବାଚନ ଯେତିକି ପାଖେଇ ଆସିବ ଏହି ଧରଣର ମାମଲାକୁ ଲୋକେ ସେତିକି ଗୁରୁତ୍ୱହୀନ କରିବେ ବୋଲି ଉଭୟ ଦଳର କର୍ମୀମାନେ ଚର୍ଚ୍ଚା କରୁଛନ୍ତି ।