Odia News Portal

ଦିଲ୍ଲୀ ରିମୋଟ କଣ୍ଟ୍ରୋଲ ଅନୁସାରେ ନାଗାଲାଣ୍ଡରେ ସରକାର ଚଳାଉଛି କଂଗ୍ରେସ

ଦିଲ୍ଲୀ ରିମୋଟ୍‌ କଣ୍ଟ୍ରୋଲ୍‌ ଅନୁଯାୟୀ ନାଗାଲାଣ୍ଡ୍‌ରେ କଂଗ୍ରେସ ସରକାର ଚଳାଉଥିଲା ବୋଲି ଆଜି ଚୁମୁକେଦିମା ଜିଲ୍ଲାରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।

ସେ କହିଛନ୍ତି, ନାଗାଲାଣ୍ଡ୍‌ ନିମନ୍ତେ ‘ବିଜେପି’ର ମନ୍ତ୍ର ହେଉଛି ଶାନ୍ତି, ପ୍ରଗତି ଓ ସମୃଦ୍ଧି ଏବଂ ଏଥିପାଇଁ ‘ବିଜେପି’ ଉପରେ ଜନତାଙ୍କ ଆସ୍ଥା ବୃଦ୍ଧି ପାଉଛି।

ଫେବ୍ରୁଆରି ୨୭ରେ ହେବାକୁ ଥିବା ନାଗାଲାଣ୍ଡ୍‌ ବିଧାନସଭା ପ୍ରଚାର ଅଭିଯାନ ଉଦ୍ଦେଶ୍ୟରେ ‘ବିଜେପି’-ଏନ୍‌ଡିପିନି’ଦ୍ବାରା ଆୟୋଜିତ ମିଳିତ ରାଲିରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ସହାୟତାରେ ‘ବିଜେପି’ ଉତ୍ତର-ପୂର୍ବରେ ଦୁର୍ନୀତି ଦମନ କରିଛି। ‘ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନା’ରେ ଲୋକେ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଟଙ୍କା ପାଉଛନ୍ତି।

ଏହି ରାଲି ପୂର୍ବରୁ ନାଗାଲାଣ୍ଡ୍‌ର ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଦିମାପୁରରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନାଗାଲାଣ୍ଡ୍‌ରେ ‘ବିଜେପି’ ଓ ‘ଏନ୍‌ଡିପିପି’ ପ୍ରାକ୍‌-ନିର୍ବାଚନୀ ମେଣ୍ଟ କରିଛନ୍ତି।

ବିରୋଧୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ, ଦିଲ୍ଲୀର କଂଗ୍ରେସ ନେତାମାନେ ନାଗାଲାଣ୍ଡ୍‌ ପ୍ରତି ଦୃଷ୍ଟି ଦେଉ ନ ଥିଲେ କି, ରାଜ୍ୟର ସ୍ଥିରତା ଓ ସମୃଦ୍ଧି ପ୍ରତି କେବେ ଗୁରୁତ୍ବ ବି ଦେଉ ନ ଥିଲେ। ଦିଲ୍ଲୀରୁ ଟିପା ହେଉଥିବା ରିମୋଟ୍‌ କଣ୍ଟ୍ରୋଲ୍‌ରେ କଂଗ୍ରେସ ସଦାସର୍ବଦା ନାଗାଲାଣ୍ଡ୍‌ରେ ସରକାର ଚଳାଉଥିଲା। ଦିଲ୍ଲୀରୁ ଦିମାପୁର ପର୍ଯ୍ୟନ୍ତ କଂଗ୍ରସ ପାରିବାରିକ ରାଜନୀତିରେ ମାତିଥିଲା।

ନାଗାଲାଣ୍ଡବାସୀ ‘ବିଜେପି’ ସରକାର ଉପରେ ଆସ୍ଥା ରଖୁଛନ୍ତି ବୋଲି ସେ କହିଛନ୍ତି।

ଆଜି କେନ୍ଦ୍ର ସରକାର ନାଗାଲାଣ୍ଡ୍‌ର ହଜାର ହଜାର ପରିବାରକୁ ମାଗଣାରେ ରେସନ୍‌ ଯୋଗାଉଛନ୍ତି। କଂଗ୍ରେସ ଭଳି ଆମେ ୮ଟି ଉତ୍ତରପୂର୍ବ ରାଜ୍ୟକୁ ‘ଏଟିଏମ୍‌’ ବୋଲି ବିଚାର ନ କରୁଥିବାରୁ ଏହା ସମ୍ଭବପର ହୋଇଛି। ଆମ ଦୃଷ୍ଟିରେ ୮ଟି ଉତ୍ତରପୂର୍ବ ରାଜ୍ୟ ହେଉଛି ‘ଅଷ୍ଟଲକ୍ଷ୍ମୀ’।