Odia News Portal

ବିଧାୟକଙ୍କୁ କଂଗ୍ରେସର ଟାର୍ଗେଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ ଦେଶୀ ମଦ, ଗଞ୍ଜେଇ ଏବଂ ବ୍ରାଉନ ସୁଗାର କାରବାର ନିଜର ପସରା ମେଲେଇ ଚାଲୁଥିବା ବେଳେ ଏଥିପ୍ରତି ନିରବଦ୍ରଷ୍ଟ୍ରା ସାଜିଛି ପୋଲିସ | ଏପରିସ୍ଥଳେ ଭଦ୍ରକରେ ଏସଟିଏଫ୍ ଦ୍ବାରା ୧ କୋଟି ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗାର ସହ ଗିରଫ ଅଭିଯୁକ୍ତଙ୍କ ଲିଙ୍କ ଶାସକ ଦଳ ସହ ଥିବା ନେଇ ବିଧାୟକଙ୍କୁ ଟାର୍ଗେଟ କରିଛି କଂଗ୍ରେସ | ବ୍ରାଉନ ସୁଗାର କରବାରର ସମ୍ପୃକ୍ତି ଥିବା ମାଫିଆମାନେ ବିଧାୟକଙ୍କ ସହିତ ଫୋଟ ଉଠାଇ ନିଜକୁ ସୁରକ୍ଷା ବଳୟ ଭିତରେ ରଖୁଛନ୍ତି | ଗିରଫ ଅଭିଯୁକ୍ତ ଜଣକ ଶାସକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ସହିତ ବିଧାୟକଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ପରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ |

ଏ ନେଇ ଆଜି ଭଦ୍ରକ ବିଧାନସଭା ନିର୍ବାଚନୀ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି |ଭଦ୍ରକ ସହରରେ ବେଆଇନ ନିଶା କରବାର ଏକ ନିତିଦିନିଆ ଘଟଣା ହୋଇଛି | ତେବେ ପୋଲିସ ଯେଉଁମାନଙ୍କୁ ଗିରଫ କରିବା ସହିତ ଯେଉଁ ଗାଡି ଜବତ କରୁଛି ସେ ସମ୍ପର୍କରେ ଅଧିକ ତଦନ୍ତ ହେଉ ନ ଥିବାରୁ ସେମାନଙ୍କ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି |

ତେଣୁ ପୋଲିସ ଏ ଦିଗରେ ଅଧିକ ତଦନ୍ତ କରିବା ସହିତ, ବ୍ରାଉନସୁଗାର ଅଭିଯୁକ୍ତ ସହିତ ବିଧାୟକଙ୍କ ଫଟୋ ସଂପର୍କରେ ଖୋଦ ବିଧାୟକ ଏ ନେଇ ସ୍ପଷ୍ଟ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ କହିଛି କଂଗ୍ରେସ | ତେବେ ଏହାକୁ ନେଇ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବା ସହ ଏସପି ଅଫିସ ଆଗରେ ଘେରାଉ କରାଯିବ କହିଛନ୍ତି କଂଗ୍ରେସ ନେତା |