ମଣ୍ଡୋଲୀ ଜେଲ୍ ପ୍ରକୋଷ୍ଠରେ ଚଢ଼ଉ କରି ଜେଲ୍ କର୍ତ୍ତୃପକ୍ଷମାନେ କିଛି ସୌଖୀନ୍ ସାମଗ୍ରୀ ଜବତ କରିବା ପରେ ଜେଲ୍ରେ ଥିବା ‘କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର କଇଁ କଇଁ ହୋଇ କାନ୍ଦୁଥିବା ଦୃଶ୍ୟ ‘ସିସିଟିଭି ଫୁଟେଜ୍’ରେ ଦେଖାଯାଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ତାରିଖ ଉଲ୍ଲେଖ ହୋଇ ନ ଥିବା ଉକ୍ତ ଫୁଟେଜ୍ରେ ଦେଖାଯାଉଛି, ଜେଲ୍ କର୍ତ୍ତୃପକ୍ଷମାନେ ତାଙ୍କ ଆଲମାରି ଓ ଅନ୍ୟାନ୍ୟ ଜିନିଷପତ୍ର ଖାନତଲାସ କରୁଥିବା ବେଳେ ସୁକେଶ ଜେଲ୍ ଖୁଆଡ଼ ଭିତରେ ଏକପାଖିଆ ହୋଇ ଠିଆ ହୋଇଛନ୍ତି। ଚଢ଼ଉକାରୀ ଦଳରେ ଥିଲେ ତିହାର ଜେଲ୍ର୍ ଦୀପକ ଶର୍ମା, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଜୟ ସିଂହ ଏବଂ ସେଣ୍ଟ୍ରାଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ।
ସଂଗୃହୀତ ସୂଚନା ଅନୁସାରେ, ତଲାସକାରୀ ଟିମ୍ ସୁକେଶଙ୍କ ପ୍ରକୋଷ୍ଠରୁ ୧.୫ ଲକ୍ଷ ଟଙ୍କାର ହଳେ ‘ଗୁଚି’ ସ୍ଲିପର୍ ଏବଂ ୮୦,୦୦୦ ଟଙ୍କାର ଦୁଇ ହଳ ଜିନ୍ସ୍ ଜବତ କରିଥିଲେ। ସେମାନେ ଚାଲିଯିବା ପରେ ସୁକେଶ ମୁଣ୍ଡରେ ହାତ ଦେଇ କାନ୍ଦି ପକାଇବା ସହି ପିନ୍ଧିଥିବା ସାର୍ଟ ହାତରେ ଲୁହ ପୋଛୁଥିବା ଦେଖାଯାଉଛି।
ସୂଚନାଯୋଗ୍ୟ, ‘ମନି ଲଣ୍ଡରିଙ୍ଗ୍’ ଏବଂ କେତେଜଣ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ବଟି ଆଦାୟ କରିଥିବା ଅଭିଯୋଗରେ ସୁକେଶଙ୍କୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଛି। ପ୍ରଥମେ ସୁକେଶ ଓ ତାଙ୍କ ସ୍ତ୍ରୀ ଲୀନା ପଲ୍ଙ୍କୁ ‘ହାଇ ସିକ୍ୟୁରିଟି’ ତିହାର ଜେଲ୍ରେ ରଖାଯାଇଥିଲା। କିନ୍ତୁ, ଜୀବନ ପ୍ରତି ବିପଦ ଅଛି ବୋଲି କହି ଅନ୍ୟ ଜେଲ୍କୁ ନେବା ବ୍ୟବସ୍ଥା କରିବା ପାଇଁ ସେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ତାଙ୍କୁ ୨୦୨୨ ଅଗଷ୍ଟରେ ମଣ୍ଡୋଲୀ ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା।