Odia News Portal

ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମିର ମିଳିଲା ନିର୍ମାଣ ସ୍ବୀକୃତି

ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଆଉ ପାଦେ ଆଗେଇଛି। ୨୭.୮୮୭ ହେକ୍ଟର ଜଙ୍ଗଲ ଜମିରେ ବିମାନବନ୍ଦର ନିର୍ମାଣ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟ (ଷ୍ଟେଜ୍‌-୧) ଅନୁମତି ମିଳିଛି। ଏଥିରେ ଏକାଧିକ ସର୍ତ୍ତ ରହିଛି। ସର୍ତ୍ତ ପୂରଣ ହେବା ପରେ ଶେଷ ପର୍ଯ୍ୟାୟ ନିର୍ମାଣ ଅନୁମତି ମିଳିବ ଏବଂ ବିମାନବନ୍ଦର ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେବ। ପ୍ରାଥମିକ ପର୍ଯ୍ୟାୟ ଅନୁମତି ପାଇଁ ରହିଥିବା ସର୍ତ୍ତ ମଧ୍ୟରେ ଏଠାରୁ ଯେତିକି ଗଛ କାଟିବେ ଅନ୍ୟତ୍ର ୧୦ ଗୁଣା ଗଛ ଆଗୁଆ ଲଗାଇବା ପ୍ରମୁଖ ରହିଛି। ଏଥିପାଇଁ ଜମି ଖୋଜା ଆରମ୍ଭ ହୋଇଛି। ଜମି ମିଳିଗଲେ ଗଛ ଲଗାଯିବ। ଦ୍ବିତୀୟଟି ହେଉଛି ଜମି ଅଧିଗ୍ରହଣ। ଏବେ ସର୍ଭେ ପରେ ଆପତ୍ତି ପ୍ରସ୍ତାବ ଆହ୍ବାନ କରାଯାଇଛି। ଆପତ୍ତିଗୁଡ଼ିକ ଆସିବା ପରେ ସେ ସବୁର ସମାଧାନ କରାଯିବ। ତା’ ପରେ ଯାଇ କ୍ଷତିପୂରଣ ପ୍ରଦାନ କରାଯାଇ ଜମି ଅଧିଗ୍ରହଣ ହେବ। ଏ ସବୁ ସର୍ତ୍ତ ପୂରଣ ହେବା ପରେ ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଏହି ଜମିରେ ବିମାନବନ୍ଦର ନିର୍ମାଣ ପାଇଁ ଯୋଜନା ହେବା ପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲା। ଏ ନେଇ ଗଠିତ ଉପଦେଷ୍ଟା କମିଟି(ଏସି) ବିଚାର କରିବା ପରେ ସର୍ତ୍ତମୂଳକ ପ୍ରାଥମିକ ପର୍ଯ୍ୟାୟ ଅନୁମତି ଦେଇଛି।ବିମାନବନ୍ଦର ସହ ପୁରୀକୁ ସଂଯୋଗ କରିବାକୁ ଷ୍ଟର୍ଲିଂ ରିସୋର୍ଟସ୍‌ ନିକଟରେ ମଙ୍ଗଳା ନଦୀ ଉପରେ ପୋଲି ନିର୍ମାଣ ସରିଥିବା ବେଳେ ଏବେ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହେଉଛି। ଖୁବ୍‌ଶୀଘ୍ର ଏହା ବ୍ୟବହାର ଉପଯୋଗୀ ହେବ। ଏହି ବିମାନବନ୍ଦର କଡ଼କୁ ଲାଗି ଶାମୁକା ପ୍ରକଳ୍ପ ନିର୍ମାଣ ହେବାକୁ ସରକାର ସ୍ଥିର କରିଛନ୍ତି। ଏଣୁ ଉଭୟ ପ୍ରକଳ୍ପ ପାଇଁ ପୁରୀକୁ ଏହି ପୋଲ ସିଧାସଳଖ ସଂଯୋଗ କରିବ। ଏହା ଛଡ଼ା ଏହି ଅଞ୍ଚଳରେ କେତେକ ରାସ୍ତା ନିର୍ମାଣ କରିବାକୁ ଯୋଜନା ରହିଛି। କେତେକ ରାସ୍ତା ମଧ୍ୟ ଚଉଡ଼ା ହେବାକୁ ଯୋଜନା ରହିଛି। ପିକେଡିଏ ଏ ସବୁର ନକ୍ସା ପ୍ରସ୍ତୁତ କରୁଛି। ଏହାକୁ ସ୍ବତନ୍ତ୍ର ବିମାନବନ୍ଦର ଜୋନ୍‌ କରି ବିକାଶ ମୂଳକ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି। ବିଭିନ୍ନ ମହଲରୁ ଏହାକୁ ସ୍ବାଗତ କରାଯାଇଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ସ୍ଥାନୀୟ ସଂଗଠନ ମଧ୍ୟ ବିରୋଧ କରିଛନ୍ତି। ୨୦୨୩ ସେପ୍ଟେମ୍ବରରେ ଗ୍ରିନ୍‌ଫିଲ୍ଡ ଏୟାରପୋର୍ଟ ଭାବରେ ସିଭିଲ୍‌ ଆଭିଏସନ ମନ୍ତ୍ରାଳୟ ‘ସାଇଟ୍‌ କ୍ଲିୟରାନ୍ସ’ ଦେବା ପରେ ପୁରୀରେ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ରିଜିଓନାଲ୍‌ ଏମ୍ପାୱାର୍‌ଡ୍‌ କମିଟି(ଆର୍‌ଇସି) ଷ୍ଟେଜ୍‌-୧ ଫରେଷ୍ଟ କ୍ଲିୟରାନ୍ସ ଦେଇ ସାରିଥିଲା। କିନ୍ତୁ ପରିବେଶ ଉପରେ ପ୍ରଭାବ ପଡ଼ିବା ନେଇ ଅଭିଯୋଗ ହେବାପରେ କେନ୍ଦ୍ର ସରକାର ଦୁଇଟି ସଂସ୍ଥାଙ୍କୁ ସର୍ଭେ କରି ରିପୋର୍ଟ ଦେବାପାଇଁ କହିଥିଲେ। ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଓ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ସଂସ୍ଥାର ସ୍ବୀକୃତିପ୍ରାପ୍ତ ଅଧିକାରୀମାନେ ସର୍ଭେ କରୁଛନ୍ତି। ଚଳିତ ମାସ ଶେଷସୁଦ୍ଧା ଏହି ସର୍ଭେ ରିପୋର୍ଟ ଆସିବ। ଏହି ରିପୋର୍ଟ ହସ୍ତଗତ ହେବା ପରେ ବିମାନବନ୍ଦର ପ୍ରତିଷ୍ଠା ଆଶା ଉଜ୍ଜ୍ବଳ ହେବ।