Odia News Portal

ତ୍ରିପୁରା, ନାଗାଲାଣ୍ଡ, ମେଘାଳୟରେ ଆରମ୍ଭ ହେଲା ବିଧାନସଭା ନିର୍ବାଚନ ଭୋଟ ଗଣନା

୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି।

୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ଆସାମର ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବାଞ୍ଚଳରେ ‘ବିଜେପି’ର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ତ୍ରିପୁରାରେ ‘ବିଜେପି’ର ମୁଖ୍ୟମନ୍ତ୍ରୀ ହେବେ, ନାଗାଲାଣ୍ଡ୍‌ରେ ମେଣ୍ଟ ସରକାର ଏବଂ ‘ବିଜେପି’ ଜିଣିଥିବା ଆସନକୁ ଆଧାର କରି ମେଘାଳୟରେ ସରକାର ନିର୍ଦ୍ଧାରଣ କରାଯିବ।

ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡ୍‌ରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି।

ଏହାଛଡ଼ା, କ‌େତେଗୁଡ଼ିଏ ଆସନରେ ହୋଇଥିବା ଉପନିର୍ବାଚନ‌ର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ସେ ଆସନଗୁଡ଼ିକ ହେଉଛି, ତାମିଲନାଡୁର ଏରୋଡ଼ (ପୂର୍ବ), ପଶ୍ଚିମବଙ୍ଗର ସାଗରଦିଘି, ଝାଡ଼ଖଣ୍ଡର ରାମଗଡ଼ ଏବଂ ମହାରାଷ୍ଟ୍ରର କସ୍‌ବା ପେଥ ଏବଂ ଚିନ୍‌ହ୍ବାଡ୍‌।