Odia News Portal

ଜଳପଥରେ କଟକଣା: ୧୮ ମେରାଇନ ଷ୍ଟେସନରେ ଚେକିଂ

*ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ ।
*ବାହାର ରାଜ୍ୟରୁ ଜଳପଥ ଦେଇ କୌଣସି ବୋଟ୍ କିମ୍ବା କୁଲି ଡଙ୍ଗାକୁ ପ୍ରବେଶ ନିଷେଧ |

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଏବଂ ଦ୍ୱିତୀୟ ଡୋଜ୍ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ବାହାର ରାଜ୍ୟରୁ ଫେରିଥିଲେ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ତେବେ ଏସବୁ ଦୃଷ୍ଟିରୁ ପ୍ରବାସୀ ଜଳ ପଥ ଦେଇ ଓଡ଼ିଶା ଆସିପାରନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ । ବାହାର ରାଜ୍ୟରୁ ଜଳପଥ ଦେଇ କୌଣସି ବୋଟ୍ କିମ୍ବା କୁଲି ଡଙ୍ଗାକୁ ପ୍ରବେଶ ନିଷେଧ କରାଯାଇଛି ।

ରାଜ୍ୟରେ ଥିବା ମେରାଇନ ଥାନା ଅଧୀନରେ ଗଠନ ହୋଇଛି ସାଗର ରକ୍ଷକ ଟିମ୍ । ପାଖାପାଖି ଗାଁର ଯୁବଗୋଷ୍ଠୀଙ୍କୁ ନେଇ ଏହି ଟିମ୍‌ ଗଠନ ହୋଇଛି । ଜଳପଥରେ କୌଣସି ଗାଁକୁ ଲୋକ ଆସିଲେ ନିକଟସ୍ଥ ମେରାଇନ ଥାନାକୁ ଜଣାଇବେ । ମେରାଇନ ଅଞ୍ଚଳରେ ରାତିରେ ମଧ୍ୟ ହେବ ପାଟ୍ରୋଲିଂ । ୧୮ଟି ମେରାଇନ ଷ୍ଟେସନରେ ଚେକିଂ ଚାଲିଛି । ମେରାଇନ୍ ଷ୍ଟେସନରେ ପାଟ୍ରୋଲିଂ ଚାଲୁଛି, ସବୁ ବୋଟରେ ଚେକିଂ ଚାଲିଛି । ପ୍ରତ୍ୟେକ ଥାନାରେ ସାଗର ରକ୍ଷକ ଦଳ ଆମକୁ ବାହାରୁ ଜଳ ପଥ ଦେଇ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି ।ଏଥିସହ ରାତିରେ ମଟର ସାଇକେଲରେ ପାଟ୍ରୋଲିଂ ହେଉଛି ।