Odia News Portal

ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ଟିକା ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସ ସୁଦ୍ଧା ଓଡିଶାରେ କରୋନା ଟିକା ପହଁଚିବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି । ଗତକାଲି ସ୍ୱାସ୍ଥ୍ୟସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁ ଚିଠି ଲେଖିଛନ୍ତି ।

ସେସନ ସାଇଟରେ ପ୍ରତୀକ୍ଷା ପ୍ରକୋଷ୍ଠ, ଟିକାଦାନ ପ୍ରକୋଷ୍ଠ ଓ ଅବଜରଭେସନ ରୁମ୍‌ ଠିକ୍‌ ଅଛି କି ନାହିଁ ସେମାନେ ନିରୀକ୍ଷଣ କରିବେ। ପ୍ରଥମେ ପ୍ରତୀକ୍ଷା ପ୍ରକୋଷ୍ଠରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ। ସେମାନଙ୍କ ନାମ ଡାଟାବେସରେ ଅଛି କି ନାହିଁ ତାହା ଯାଞ୍ଚ କରାଯିବ। ଏହା ପରେ ଟିକାଦାନ ପ୍ରକୋଷ୍ଠରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ତା ପରେ ସେମାନଙ୍କୁ ଅବଜରଭେସନ ରୁମ୍‌ରେ ୩୦ ମିନିଟ ରଖାଯିବ। ଏହି ସମୟ ଭିତରେ ପାର୍ଶ୍ଵ ପ୍ରତିକ୍ରିୟା ନ ଆସିଲେ, ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।