Odia News Portal

ଦେଶରେ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ପାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଭଳି ଉପଯୁକ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଡ୍ରାଏ ରନ୍ ର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବା ବେଳେ ସେ କହିଛନ୍ତି କି ଦେଶସାରା ପ୍ରତିଟି ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ । ଜିଟିବି ହସ୍ପିଟାଲରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ‘ଲୋକଙ୍କୁ ଅନୁରୋଧ କରୁଛୁ କି ସେମାନେ ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ । ଭ୍ୟାକସିନ୍ ର ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ।’ ଏହାସହ ସେ ପୋଲିଓ ଟିକା କଥା ବି ମନେପକାଇ କହିଥିଲେ କି ପୋଲିଓ ଟିକାକାରଣ ବେଳେ ବି ଏଭଳି କିଛି ମିଥ୍ୟା ପ୍ରଚାର କରାଯାଉଥିଲା । ହେଲେ ଟିକାକରଣ ସୁରଖୁରୁରେ ଚାଲିଲା ଓ ଏବେ ଦେଶ ପୋଲିଓମୁକ୍ତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ଥର ୪ଟି ରାଜ୍ୟରେ ଡ୍ରାଏ ରନ୍ ହୋଇଥିଲା । ଏହାପରେ ଏସଓପିରେ କିଛିଟା ପରିବର୍ତ୍ତନ କରାଯାଇଛି । ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଡ୍ରାଏ ରନ୍ କରୁଛନ୍ତି । ଟିକାକରଣ ବେଳେ ଯେମିତି ହେବାକଥା ସବୁକିଛି ଠିକ୍ ସେହିପରି ହେବ । ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଡାଟା ଅପଲୋଡ୍ ବାବଦରେ ମଧ୍ୟ ସମୀକ୍ଷା କରାଯାଉଥିବା କଥା ସେ କହିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭ୍ୟାକସିନର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯିବ। ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର କହିଛି।