Odia News Portal

ଆଜିଠାରୁ ସମସ୍ତ ବ୍ୟକ୍ତିଙ୍କୁ ମିଳିବ ବୁଷ୍ଟର ଡୋଜ୍

ଆଜି ଠାରୁ ଦେଶରେ ୧୮ ବର୍ଷରୁ ସମସ୍ତ ବ୍ୟକ୍ତିଙ୍କୁ ପ୍ରିକସନ ବା ବୁଷ୍ଟର ଡୋଜ୍ ମିଳିବ | ଶୁକ୍ରବାର କେନ୍ଦ୍ର ସରକାର ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତରେ କରୋନାର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହା ପୂର୍ବରୁ କେବଳ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖଭାଗ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଥିଲା।

୧୮ ବର୍ଷରୁ ସମସ୍ତ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର୍ ଡୋଜ୍ କେବଳ ବେସରକାରୀ ଟିକା କେନ୍ଦ୍ରରେ ଉପଲବ୍ଧ ହେବ | ତେବେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, ସମ୍ମୁଖଭାଗ କର୍ମଚାରୀ ଏବଂ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାରୀ କେନ୍ଦ୍ରରେ ପୂର୍ବଭଳି ମାଗଣା ବୁଷ୍ଟର ଡୋଜ୍ ଦିଆଯିବା ଜାରି ରହିବ ।

ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନିଆଯାଇ ପାରିବ । ଯେଉଁ ଟିକାର ପ୍ରଥମ ଦୁଇ ଡୋଜ୍ ନିଆଯାଇଥିବା, ସେହି ଟିକାର ହିଁ ବୁଷ୍ଟର ଡୋଜ୍ ନେବାକୁ ପଡ଼ିବ । ଉଦାହରଣ ସ୍ବରୂପ, ଯଦି ଆପଣଙ୍କୁ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା, ତେବେ ବୁଷ୍ଟର୍ ଡୋଜ୍ ମଧ୍ୟ କୋଭିଶିଲ୍ଡର ହିଁ ନେବା ଆବଶ୍ୟକ |

ସ୍ୱାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖଭାଗ କର୍ମଚାରୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଛାଡି, ଅନ୍ୟ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ପାଇଁ ଅର୍ଥ ଦେବାକୁ ପଡିବ | ଘରୋଇ ଟିକାକରଣ କେନ୍ଦ୍ରରେ ଏହା ଦିଆଯିବ | ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ ପୂର୍ବରୁ ଶନିବାର ଘରୋଇ ଟିକାକରଣ କେନ୍ଦ୍ର ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଓ ଭାରତ ବାୟୋଟେକ୍ ନିଜ ଟିକା ଦର କମାଇବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଘରୋଇ ହସ୍ପିଟାଲରେ ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନର ଗୋଟିଏ ଡୋଜ୍ ଦର ୨୨୫ ଟଙ୍କା ହେବ । ଏହାପୂର୍ବରୁ ଏହି ଦୁଇ ଠିକାରେ ଗୋଟିଏ ଡୋଜ୍ ପାଇଁ ଯଥାକ୍ରମେ ୬୦୦ ଟଙ୍କା ଏବଂ ୧୨୦୦ ଟଙ୍କା ଦେବାକୁ ପଡୁଥିଲା ।