Odia News Portal

ପିପିଲିରେ ଥିବା ନେତାଙ୍କୁ ଗୋଡାଇଲାଣି କରୋନା

ଡରରେ ଛାତି ଧଡ ଧଡ ।

ଭୁବନେଶ୍ୱର : କରୋନାରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଆଜି ଆଖିବୁଜିବା ପରେ ନିର୍ବାଚନ ମଇଦାନରେ ଡେରା ପକାଇଥିବା ନେତା ଓ କର୍ମୀଙ୍କ ନିଦ ହଜିଯାଇଛି । କାଳେ ନିଜକୁ କରୋନା ହୋଇଥିବ ସେଥିପାଇଁ ସେମାନଙ୍କର ଏଭଳି ଅବସ୍ଥା ହୋଇଛି । ନିର୍ବାଚନ ସ୍ଥଗିତ ରହିବା ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ ପିପିଲି ଛାଡୁଥିବା ଅନେକ ନେତା ଓ ଛାମୁଆକର୍ମୀ ଏବେ କରୋନା ପରୀକ୍ଷା ପରେ ଘରକୁ ଫେରିବାପାଇଁ ମନସ୍ଥିର କରିଛନ୍ତି ।ଆଜି ଅପରାହ୍ନରେ ଅଜିତଙ୍କ ମୃତ୍ୟୁ ଖବର ପାଇବାପରେ ପିପିଲିରେ କିଛିଦିନ ଧରି ଡେରା ପକାଇଥିବା ଏବେ ଅନେକ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।

କାଳେ ଅନ୍ୟକୁ କରୋନା ସଂକ୍ରମିତ ହୋଇଥିବ ସେହି ଭୟ ଗୋଡାଇଛି । କାରଣ ଅଜିତ୍‌ ସଂକ୍ରମିତ ହେବା ସମୟରେ ପୂରା ଦମ୍‌ରେ ନିର୍ବାଚନ ପ୍ରଚାର କରୁଥିଲେ । ଯେଉଁ କର୍ମୀ ଓ ସାଧାରଣ ଜନତା ଅଜିତଙ୍କ ସହିତ ପ୍ରଚାରରେ ମାତିଥିଲେ ସେମାନେ ବି ଅନ୍ୟ ଦଳର ରାଲିରେ ଯୋଗ ଦେବା ସହିତ ନେତାଙ୍କ ନିକଟତର ହୋଇଥିଲେ । ଭୋଜିଭାତ, ବାଇକ ରାଲି, ପଦଯାତ୍ରା ଆଦିରେ ତ ସାମାନ୍ୟ ତମ କଟକଣା ନଥିଲା ।ତେଣୁ ଅଜିତଙ୍କ ନିକଟକୁ କାହାର ପାଖରୁ କରୋନା ଆସିଲା ଓ ଅଜିତଙ୍କ ଠାରୁ କାହା ପାଖକୁ ଏହି ଭୂତାଣୁ ଯାଇଛି ସେହି ଚିନ୍ତା ଏବେ ଅନେକଙ୍କୁ ଘାରିଛି । ଯେତେ ମାସ୍କ ପିନ୍ଧିଲେ କି ସାନିଟାଇଜର ବ୍ୟବହାର କରିଥିଲେ ବି ଏହି ନେତାମାନେ ନିଜକୁ ବୁଝାଇ ପାରୁନାହାନ୍ତି । ତେଣୁ ସବୁଠାରୁ ଭଲ ତୁରନ୍ତ କରୋନା ପରୀକ୍ଷା କରାଇବା ବୋଲି ପିପିଲି ଛାଡୁଥିବା କିଛି ନେତା ମତ ଦେଇଛନ୍ତି । ତେଣୁ ଘରକୁ ଯାଇ ପରିବାରକୁ କରୋନା ବାଣ୍ଟିବା ବଦଳରେ ସେମାନେ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅନ୍ୟ ସ୍ଥାନରେ ରହିବାକୁ ମନସ୍ଥିର କରିଛନ୍ତି ।ତେବେ ସବୁଠାରୁ ଅଧିକ ଛାନିଆ ହୋଇଛନ୍ତି ପିପିଲି-ଡେଲାଙ୍ଗ ଅଞ୍ଚଳରେ ନିର୍ବାଚନ ରାଲି, ଶୋଭାଯାତ୍ରା ଓ ଭୋଜିଭାତରେ ସାଧାରଣରେ ମାତିଥିବା ସାଧାରଣ ଜନତା ।

ଗତ କାଲି ପର୍ଯ୍ୟନ୍ତ କରୋନାକୁ ଫୁ କରିଦେଉଥିବା ଲୋକେ ଆଜି ଅଜିତଙ୍କ ମୃତ୍ୟୁ ଖବର ପାଇବାପରେ ଛାନିଆ ହୋଇପଡିଛନ୍ତି । ଅଜିତ ଓ କଂଗ୍ରେସର ଛାମୁଆ ନେତାଙ୍କ ଅତି ନିକଟତର ହୋଇଥିବା ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ସେହିଭଳି ଅଜିତ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଧରି ପିପିଲିରେ ପ୍ରଚାର କରିଥିବା ରାଜଧାନୀର କିଛି ବରିଷ୍ଠ କଂଗ୍ରେସ ନେତା ବି ଚିନ୍ତାରେ ପଡିଯାଇଛନ୍ତି ।ତେଣୁ ଅନ୍ତତଃ ନିର୍ବାଚନ ସ୍ଥଗିତ ଘୋଷଣା ସହିତ ରାଜ୍ୟ ପ୍ରଶାସନ ତୁରନ୍ତ ପିପିଲି-ଡେଲାଙ୍ଗ ଅଞ୍ଚଳରେ ବ୍ୟାପକ କରୋନା ପରୀକ୍ଷାପାଇଁ ମତପ୍ରକାଶ ପାଉଛି । ନେତା ମାନେ ବିଭିନ୍ନ ସ୍ଥାନରେ ପରୀକ୍ଷା ପାଇଁ ଯାଉଥିବାବେଳେ ଗାଁ ଗହଳର ଲୋକେ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଏହି ଅଞ୍ଚଳରେ କରୋନା ବେକାକୁ ହେବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।