Odia News Portal

କରୋନା ଲଢ଼େଇରେ ଜନ ସଚେତନତା ଓ ସହଭାଗିତା

କୁଳପତିମାନଙ୍କୁ କୁଳାଧିପତିଙ୍କ ପରାମର୍ଶ

ଭୁବନେଶ୍ୱର : ବୈଶ୍ୱିକ ମହାମାରୀ କରୋନା ବିରୋଧରେ ଲଢ଼େଇରେ ବିଶ୍ୱବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି । ବ୍ୟାପକ ଜନ ସଚେତନତା ସୃଷ୍ଟି ସହିତ ସ୍ଥାନୀୟ ପ୍ରଶାସନର ସହଭାଗିତାରେ ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ସଦୁପଯୋଗ ପାଇଁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ରାଜ୍ୟପାଳ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସହ ଭାରଚୁଆଲ ମୋଡ଼୍ରେ ସ୍ଥିତିର ସମୀକ୍ଷା କରିବା ସହିତ କରୋନା ବିରୋଧି ଲଢ଼େଇରେ ପ୍ରଭାବଶାଳୀ କ୍ରିୟାଶୀଳ ଭୂମିକା ଗ୍ରହଣ କରିବାକୁ କହିଛନ୍ତି । ହୋର୍ଡ଼ିଂ, ପ୍ରଚାରପତ୍ର ମାଧ୍ୟମରେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ନୂତନ ନିର୍ମାଣ ନକରିବାକୁ ଓ ଆର୍ଥିକ ମିତବ୍ୟୟତାକୁ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ପରାମର୍ଶ ଦେବା ସହ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଠିକ୍ ସମୟରେ ସାର୍ଟିଫିକେଟ୍ ପ୍ରଦାନ, ଗବେଷଣାକୁ ପ୍ରୋତ୍ସାହନ ଓ ସ୍କଲାରମାନଙ୍କୁ ଗାଇଡ଼ ଆବଣ୍ଟନ, ପେନସନ ମାମଲାର ତ୍ୱରିତ ସମାଧାନ ଓ ଡ଼ିଜିଟାଲ ମାଧ୍ୟମରେ କାର୍ଯ୍ୟ ସଂପାଦନ ପାଇଁ ରାଜ୍ୟପାଳ କହିବା ସହ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ବିଶ୍ୱବିଦ୍ୟାଳୟରେ ଥିବା ବିଭିନ୍ନ ମାମଲାର ଫଏସଲା, ବିଶେଷ କରି ପେନ୍ସନ କେସ୍ଗୁଡ଼ିକର ତ୍ୱରିତ ଫଏସଲା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି ।ବିଶ୍ୱବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରି ସାଂପ୍ରତିକ ସ୍ଥିତି ଓ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ ।