Odia News Portal

ଟିକାକରଣରେ ଘରୋଇ ହସ୍ପିଟାଲର ଶୋଷଣ ଓ ନିର୍ଯାତନା

କରୋନା ଯନ୍ତ୍ରଣା ଠାରୁ ଅଧିକ ଯନ୍ତ୍ରଣା ଦାୟକ ଘରୋଇ ହସ୍ପିଟାଲଗୁଡିକର ମନମାନୀ ।

ଭୁବନେଶ୍ୱର(ଅକ୍ଷୟ କୁମାର ପତି): କରୋନା ମହାମାରୀ ସମୟରେ ଟିକାକରଣରେ ଘରୋଇ ହସ୍ପିଟାଲ ଗୁଡିକରେ ଶୋଷଣ ଓ ନିର୍ଯାତନା କରୋନା ମହାମାରୀର ଯନ୍ତ୍ରଣା ଠାରୁ ବଳିଗଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ଡାକ୍ତରଖାନାଗୁଡିକରେ ମାଗଣାରେ କରୋନା ଟିକା ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଘରୋଇ ହସ୍ପିଟାଲ ଗୁଡିକରେ ପ୍ରତି ଟିକା ପାଇଁ ଜଣପିଛା ୨୫୦ ଟଙ୍କା କରି ନିଆଯାଉଛି । ତା’ ସହିତ ବର୍ତ୍ତମାନ ଟିକା ନେବାକୁ ଆସୁଥିବା ବରିଷ୍ଠ ନାଗରିକ, ବହୁବିଧ ରୋଗରେ ପୀଡିତ ଲୋକମାନଙ୍କୁ ଲମ୍ବାଲାଇନ୍ରେ ଠିଆ ହୋଇ ନିଜର ପଞ୍ଜୀକରଣ କରିବାକୁ ବାଧ୍ୟ କରାଯାଉଛି । ପୂର୍ବରୁ ଏଭଳି ବରିଷ୍ଠ ନାଗରିକ କିମ୍ବା ବହୁବିଧ ରୋଗରେ ପୀଡିତ ରୋଗୀମାନଙ୍କ ପକ୍ଷରୁ ଯେ କେହି ଜଣେ ଆତ୍ମୀୟ ସେମାନଙ୍କ ପାଇଁ ପଞ୍ଜିକରଣ କରିପାରୁଥିଲେ ।

ଯାହାଫଳରେ ଟିକାନେବା ସହଜସାଧ୍ୟ ହେଉଥିଲା । କିନ୍ତୁ ହଠାତ୍ ଘରୋଇ ହସ୍ପିଟାଲଗୁଡିକ ଆଉ ସେଭଳି ପଞ୍ଜିକରଣ କରିବାକୁ ଅନୁମତି ନ ଦେଇ ଟିକା ନେବାକୁ ଥିବା ବ୍ୟକ୍ତି ସେ ଯେତେ ବୃଦ୍ଧ, ଅକର୍ମଣ୍ୟ କିମ୍ବା ବହୁବିଧ ରୋଗାକାନ୍ତ ଥିଲେ ମଧ୍ୟ ସେମାନଙ୍କୁ ଲାଇନ୍ରେ ଠିଆ ହୋଇ ନିଜର ପଞ୍ଜିକରଣ କରିବାକୁ ବାଧ୍ୟ କରୁଛନ୍ତି । ଫଳରେ ଲୋକଙ୍କର ଦୁର୍ଦ୍ଦଶା ଆହୁରି ବଢି ବଢି ଚାଲିଛି ।
କରୋନା ଯନ୍ତ୍ରଣା ଠାରୁ ଘରୋଇ ହସ୍ପିଟାଲଗୁଡିକର ମନମାନୀ ଅଧିକ ଯନ୍ତ୍ରଣା ଦେଉଛି । ଏ କ୍ଷେତ୍ରରେ ଭୁବନେଶ୍ୱରରେ ଥିବା ଅଧିକାଂଶ ନାମୀଦାମୀ ହସ୍ପିଟାଲ୍ ସର୍ବାଗରେ ରହିଛନ୍ତି । ଏଠାରେ ବୃଦ୍ଧ, ବହୁବିଧ ରୋଗପୀଡ଼ିତ କିମ୍ବା ଭିନ୍ନକ୍ଷମ ମାନଙ୍କ ପ୍ରତି କୌଣସି ସାମାନ୍ୟତମ ସହାନୁଭୂତି ପ୍ରଦର୍ଶନ କରାଯାଉନାହିଁ ।

ଭୁବନେଶ୍ୱରର ଲୋକସଂଖ୍ୟା ବଢି ବଢି ଚାଲିଥିବାରୁ ଏଠାରେ ସରକାରୀ ଡାକ୍ତରଖାନାର ଅଭାବ ପରିଲକ୍ଷିତ ହେଲା । ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ, ଭୁବନେଶ୍ୱର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜମିଜଳ ଭିତ୍ତିଭୂମି ଯୋଗାଇ ଦେଇ ବଡ ବଡ ଘରୋଇ ସଂସ୍ଥାକୁ ଅତ୍ୟାଧୁନିକ ହସ୍ପିଟାଲ ପାଇଁ ଅନୁମତି ଦେଇଥିଲେ । ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଥିଲା ରାଜ୍ୟର ଲୋକମାନେ ଏଠାରେ ସୁବିଧା ଓ ସହଜରେ ଉନ୍ନତ ଧରଣର ଚିକିତ୍ସା ପାଇବେ । ମାତ୍ର ସରକାରଙ୍କର ସେ ଉଦେ୍ଦଶ୍ୟ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଛି । ପ୍ରଥମରେ ସରକାରୀ ଡାକ୍ତରଖାନାରେ ମାଗଣାରେ ଟିକା ଦିଆଯାଉଥିବାବେଳେ ଏଠାରେ ଟିକା ପାଇଁ ଅର୍ଥ ନିଆଯାଇଛି । ତା’ ସହିତ ଏଠାୋର ଲୋକମାନଙ୍କୁ ଯେପରି ହଇରାଣ ହରକତ କରାଯାଉଛି ତାହା ସବୁଠାରୁ ବଳିଗଲାଣି । ଉଦାହରଣସ୍ୱରୂପ ଯିଏ ତାର ପ୍ରଥମ ଡୋଜ୍ ଟିକା ଯେଉଁ ଘରୋଇ ହସ୍ପିଟାଲରେ ନେଇଥିବା ତାକୁ ଦ୍ୱିତୀୟ ଡୋଜ୍ ଟିକା କେବଳ ସେହିଠାରେ ହିଁ ନେବାକୁ ପଡ଼ିବ ।

କିନ୍ତୁ ଦୁଃଖର କଥା ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ପୁନର୍ବାର ସେମାନଙ୍କୁ ଲାଇନ୍ ରେ ଠିଆ ହୋଇ ଆଉ ଥରେ ପଞ୍ଜିକରଣ କରିବାକୁ ବୁଢା ବୁଢି ଓ ରୋଗୀମାନଙ୍କୁ ବାଧ୍ୟ କରାଯାଉଛି । ଯେହେତୁ ସେମାନେ ପୂର୍ବରୁ ସେଠାରେ ଥରେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି ସେମାନଙ୍କୁ ଆଉ ଦ୍ୱିତୀୟ ଥର ପୁନର୍ବାର ପଞ୍ଜିକରଣ ନ କରି ହସ୍ପିଟାଲ ରେକର୍ଡ ଅନୁଯାୟୀ ସେମାନଙ୍କର ଯେଉଁଦିନ ୨୮ ଦିନ ପୂର୍ଣ୍ଣ ହେଉଛି ସେହିଦିନ ସିଧାସଳଖ ଆଉ ଟିକା ଦିଆଯାଉନାହିଁ । ଘରୋଇ ହସ୍ପିଟାଲଗୁଡିକର ଏଭଳି ମନମାନୀ ଓ ନିର୍ଯାତନାରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି । କେବଳ ସେତିକି ନୁହେଁ ସମୟରେ ବିଭିନ୍ନ ଘରୋଇ ହସ୍ପିଟାଲଗୁଡିକରେ ଚିକିତ୍ସିତ ହେଉଥିବା ଗରିବ ରୋଗୀମାନେ ମୃତୁ୍ୟବରଣ କରିବା ପରେ ଡାକ୍ତରଖାନା ବିଲ୍ ପଇଠ ନ କଲେ ସେମାନଙ୍କ ଶବକୁ ଘରୋଇ ହସ୍ପିଟାଲଗୁଡିକ ଛାଡୁନଥିବାର ବହୁ ନଜିର ଆମ ରାଜ୍ୟରେ ରହିଛି ।ସେ ଅବସ୍ଥାରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହେଲାନାହିଁ କିମ୍ବା ସରକାର ଏ ଦିଗରେ ଏପର୍ଯ୍ୟନ୍ତ ଘରୋଇ ହସ୍ପିଟାଲ ପାଇଁ କୌଣସି ଗାଇଡଲାଇନ୍ ମଧ୍ୟ କଲେନାହିଁ ।

ସରକାରଙ୍କ ଠାରୁ ଜମି, ଜଳ, ଭିତ୍ତିଭୂମିକୁ ସବୁ ନେଇ ସାରିବା ପରେ ସରକାରଙ୍କର ଆଉ କୌଣସି କର୍ତ୍ତୃତ୍ୱ ଏମାନଙ୍କ ଉପରେ ରହୁନାହିଁ କିମ୍ବା ଏମାନେ ସରକାରୀ ନୀତି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଫଳରେ ସରକାର ସାଧାରଣ ଲୋକଙ୍କ ଭାଗ୍ୟ ଏବେ ସେହି ଘରୋଇ ହସ୍ପିଟାଲ ହାତରେ ଟେକି ଦେଇଥିବା ଭଳି ମନେହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି କଲେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବାରୁ ଏଣିକି ଛୁଟିଦିନ ବା ରବିବାର ଦିନ ମଧ୍ୟ ଟିକାକରଣ ଚାଲୁ ରହିବ । ତାକୁ ବି ଘରୋଇ ହସ୍ପିଟାଲଗୁଡିକ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ସରକାର ନିଷ୍ପତ୍ତି କଲେ ଯେ, ଏଣିକି ସକାଳ ୮ ଟାରୁ ୧୨ ଟା ଏବଂ ଅପରାହ୍ନ ୩ ଟାରୁ ୬ଟା ମଧ୍ୟରେ ଟିକା ଦିଆଯିବ । ତାକୁ ବି କେତେକ ଘରୋଇ ହସ୍ପିଟାଲ ମାନୁନାହାଁନ୍ତି । ସରକାର କହିଲେ ମାଗଣା ଟିକା ଦିଆଯିବ । ଘରୋଇ ହସ୍ପିଟାଲ ପ୍ରତିଟିକା ପାଇଁ ୨୫୦ ଟଙ୍କା ନେଲେ । ସରକାରୀ ହସ୍ପିଟାଲରେ ଯିଏ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ତାଙ୍କର ଧାର୍ଯ୍ୟ ସମୟରେ ଦ୍ୱିତୀୟ ଟିକା ନେଇ ପାରିବ । ଏଥିପାଇଁ ତାଙ୍କୁ ଆଉ ଦ୍ୱିତୀୟ ପଞ୍ଜିକରଣର ଆବଶ୍ୟକତା ନାହିଁ । କିନ୍ତୁ ଘରୋଇ ହସ୍ପିଟାଲ ଏସବୁ ମାନୁନାହାଁନ୍ତି । ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁ୍ଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଜଣେ ପାରିବାର ଲୋକ । ଗତବର୍ଷ କୋଭିଡ୍ ସମୟରେ ସେ ଯେପରି ଦକ୍ଷତା ଓ ଦୃଢତାର ସହିତ ସ୍ୱାସ୍ଥ୍ୟ ବିଭାଗକୁ କ୍ରିୟାଶୀଳ କରିପାରିଥିଲେ ଏଥର କାହିଁକି ସେ ସେଭଳି ଆଗ୍ରହ ଦେଉନଥିବା ଲକ୍ଷ୍ୟ କରାଯାଉଛି ।

କେବଳ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଗୋଟିଏ ଗୋଟିଏ ସରକାରୀ ବିଜ୍ଞପ୍ତି ଛାଡ଼ି ଦେଇ ଚୁପ୍ ହୋଇ ବସି ରହୁଛନ୍ତି । ଘରୋଇ ହସ୍ପିଟାଲ ଗୁଡିକର ମନମାନୀ, ନିର୍ଯାତନା ଓ ଶୋଷଣର ପ୍ରତିକାର ପାଇଁ ସତେ ଯେମିତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କର କୌଣସି ଆଗ୍ରହ ନାହିଁ । ସେ ସିନିଅରିଟି ଦୃଷ୍ଟିରୁ ରାଜ୍ୟର ଉନ୍ନୟନ କମିଶନ ଚୌକି ଦଖଲ କରିବାକୁ ଚାହିଁଥିଲେ । କିନ୍ତୁ ତାହା ସମ୍ଭବ ନ ହେବାରୁ ବୋଧହୁଏ କାମରେ ତାଙ୍କର ଆଉ ମନ ଲାଗୁନାହିଁ । ଯାହାଫଳରେ କରୋନା ସମୟରେ ଘରୋଇ ହସ୍ପିଟାଲ ଗୁଡିକର ଶୋଷଣ ଓ ନିର୍ଯାତନା ତାଙ୍କ ଦୃଷ୍ଟିକୁ ଆସୁନାହିଁ ବା ସେ ସବୁଜାଣି ନ ଜାଣିଲା ଭଳି ରହୁଛନ୍ତି ତାହା ବୁଝାପଡୁନାହିଁ ।
ବ୍ୟକ୍ତିଗତ ସ୍ୱାର୍ଥର୍ ଓ ଲୋଭ ଠାରୁ ସାଧାରଣ ଲୋକଙ୍କର ସ୍ୱାର୍ଥ, ସୁରକ୍ଷା ସହିତ ଉତ୍ତମ ଚିକିତ୍ସା ସୁବିଧା ପ୍ରତ୍ୟେକ ସରକାରୀ ଅଫିସରଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ ହେବା ଦରକାର । ବର୍ତ୍ତମାନର ସଂଗୀନ ପରିସ୍ଥିତି ବେଳେ ସରକାରର ଉଚ୍ଚ ପଦପଦବୀରେ ଥିବା ଅଫିସର ମାନେ ଅନ୍ତତଃ ଘରୋଇ ହସ୍ପିଟାଲର ଅବ୍ୟବସ୍ଥା ଓ ମନମାନୀ ଉପରେ ସରକାରଙ୍କର ଯେଉଁ ନିୟନ୍ତ୍ରଣ ବା କର୍ତ୍ତୃତ୍ୱ ରହିଛି ତାକୁ ଜାହିର କରିବା ସହିତ ଜନସ୍ୱାର୍ଥ ଦୃଷ୍ଟିରୁ ତାହା କାର୍ଯ୍ୟକରିବା ଦରକାର ।