Odia News Portal

ଖରା ପାଇଁ ବଦଳିଲା ଟିକାକରଣ ସମୟ

ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ |

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସହ ଗ୍ରୀଷ୍ମ ପ୍ରବାହ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ ଜାରି ରହିବ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ସିଡିଏମଓଙ୍କୁ ଚିଠି ଲେଖି ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ କୋଭିଡ୍ ଟିକାକରଣ ସମୟରେ ତୁରନ୍ତ ପରିବର୍ତ୍ତନ କରିବାକୁ କହିଛନ୍ତି।

ସୂଚନା ଅନୁଯାୟୀ, ଦେଶରେ ବଢୁଥିବା କରୋନା ପ୍ରକୋପ ମଧ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି। ଓଡିଶାରେ ମଧ୍ୟ ଟିକାକରଣ ତ୍ଵରାନ୍ଵିତ କରାଯାଇ ଦୈନିକ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି। ହେଲେ ରାଜ୍ୟରେ ସଂପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଦିନ ବେଳେ ଲୋକଙ୍କୁ ଘରକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ ସମୟରେ ପରିବର୍ତ୍ତନ କରିଛନ୍ତି।ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲ୍ଲାଗୁଡ଼ିକୁ ନିଜର କୋଭିଡ୍ ଟିକା ସଂକ୍ରାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି।