Odia News Portal

ଜଗିଲା ବାଲା ହିଁ ଚୋର

କଟକ () କଟକ ନୟାସଡକ IIFLରୁ ୨୦କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଲୁଟ୍ ଘଟଣାରେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ଥିଲେ ମାଷ୍ଟରମାଇଣ୍ଡ । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ପୋଲିସ କମିଶନର ସୂଚନା ଅନୁସାରେ ମାତ୍ର ୬ ଦିନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ଘଟଣା ଦିନ IIFLର ନୟାସଡକ ବ୍ରାଞ୍ଚ ଖୋଲିବା ପରେ ୪ ଜଣ ଦୁର୍ବୃତ୍ତ ଜବରଦସ୍ତି ପଶିଥିଲେ । ସମସ୍ତେ ମୁହଁ ଘୋଡାଇଥିଲେ । ଜଣଙ୍କ ହାତରେ ବନ୍ଧୁକ ଥିଲା । ବ୍ରାଞ୍ଚର ଜଣେ କର୍ମଚାରୀ ଲକର ଖୋଲିଥିଲେ । ଲକରରୁ ପୁଳା ପୁଳା ସୁନା ସେମାନଙ୍କୁ ଦେଇଦେଇଥିଲେ । ଲୁଟେରାମାନେ ସୁନା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଏହା ଏକ ଯୋଜନାବଦ୍ଧ ଅପରାଧ । ଘଟଣା ଦିନ IIFL ବ୍ରାଞ୍ଚର ସମସ୍ତ ସୁରକ୍ଷା ବ୍ୟବସ୍ଥା ଆକାମୀ ଥିଲା । ସିସିଟିଭି ବନ୍ଦ ରହିଥିଲା । ସିକ୍ୟୁରିଟି ଗାର୍ଡ ମଧ୍ୟ ଛୁଟିରେ ଥିଲେ । ଲୁଟ୍ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ । ସେ ଲୁଟେରାମାନଙ୍କୁ ସମସ୍ତ ପ୍ରକାରର ସହାଯ୍ୟ କରିଥିଲେ ।

ଡକାୟତି ଘଟଣାରେ ୪ ଜଣ ସଂପୃକ୍ତ ଥିବା ବେଳେ ପଞ୍ଚମ ବ୍ୟକ୍ତି ନଆସି ଲୁଟ୍ ଘଟଣାକୁ ପରିଚାଳିତ କରିଥିଲେ । ସେ ହେଉଛନ୍ତି ବାପୁ ଓରଫ ରଞ୍ଜନ ବେହେରା । ତାଙ୍କ ଘର କିଶନନଗର ଅଞ୍ଚଳରେ ବିଶ୍ବନାଥପୁରରେ । ଲାଲା ଅମ୍ରିତ ରାୟ ତାଙ୍କ ପିଲା ଦିନର ସାଙ୍ଗ । ଲୁଟ୍ ପାଇ ଆସିଥିବା ୪ ଜଣ ହେଉଛନ୍ତି ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା ଏବଂ ବାପି ଓରଫ ସନ୍ତୋଷ ଭୋଇ । ସମସ୍ତଙ୍କୁ ଅଟକ ରଖାଯାଇଛି । ଘଟଣାରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି । ଲୁଟ୍ ହୋଇଥିବା ସୁନାରୁ ୨ କିଲୋରୁ ଅଧିକ ସୁନା ଜବତ ହୋଇଛି ।