Odia News Portal

‘ପରୀ’ ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ

ନୟାଗଡର କୁନିଝିଅ ପରୀ ହତ୍ୟା ମାମାଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଆଜି ହାଇକୋର୍ଟରେ ପରୀ ମୃତ୍ୟୁ ମାମଲାର ତଦନ୍ତ କେତେ ବାଟ ଆଗେଇଛି ସେ ନେଇ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ।

୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ହତ୍ୟାକାରୀ ଧରା ନପଡ଼ିବାରୁ ଚାରିଆଡୁ ବିରୋଧ ପ୍ରଦର୍ଶନ ଓ ହତ୍ୟା ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ ଏସଆଇଟି କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କ୍ରାଇମବ୍ରାଞ୍ଚ ଏସଆଇଚି ପକ୍ଷରୁ ଅରୁଣ ବୋଥ୍ରା ନୟାଗଡର ଯଦୁପୁରକୁ ଯାଇ ତଦନ୍ତ କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଥିଲେ । ଏପରିକି ଯଦୁପୁର ଗାଁର ୧୫ରୁ ୩୦ ବର୍ଷ ବୟସ୍କ ୨୮ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା ଏସଆଇଟି ।କିଛିଦିନ ତଳେ ଏହି ଘଟଣାରେ ନୟାଗଡ଼ ଥାନାର ଆଇ.ଆଇ.ସି ରୀତାରାଣୀ ସାହୁଙ୍କୁ ପରୀ ମାଆକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ମଧ୍ୟ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ।