Odia News Portal

ରାଜଧାନୀରେ ପହଞ୍ଚିଲା ବିଜୁବାବୁଙ୍କ ବିମାନ ଡାକୋଟା

ବିଜୁବାବୁଙ୍କ ଡାକୋଟା ବିମାନ ଶେଷରେ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨ଟି ଲରି ଜରିଆରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱରରେ ପହଞ୍ଚିଛି ବିମାନ । ତେବେ ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ପ୍ରୟାସ ଚାଲିଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାଯାଇଛି।

ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ପ୍ରତିଷ୍ଠା କରିଥିବା ବେଳେ ସେଥିରେ ୧୮ଟି ଡାକୋଟା ବିମାନ ଥିଲା। ବିମାନଗୁଡିକ କଲିକତାରୁ ବିଭିନ୍ନ ସ୍ଥାନକୁ ସେବା ଯୋଗାଉଥିଲା । ଗୋଟିଏ ବିମାନକୁ ନିଜେ ବିଜୁ ବାବୁ ବ୍ୟବହାର କରୁଥିଲେ। ତାହା ଥିଲା ଡାକୋଟା- (DC-3) VT-AUI। ଉକ୍ତ ବିମାନର ଲମ୍ବ ଥିଲା ୬୪ ଫୁଟ୍ ୮ ଇଞ୍ଚ। ୯୫ ଫୁଟ ପଯର୍ୟନ୍ତ ଲମ୍ବିଥିଲା ଏହାର ଡେଣା। ଏହା ଏକ ଫିକ୍ସଡ ଓ୍ୱିଙ୍ଗ୍ ବିମାନ ଥିଲା।୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ୧୯୪୭ରେ ଏହି ବିମାନରେ ପତ୍ନୀ ଜ୍ଞାନଙ୍କ ସହ ଜାକର୍ତ୍ତା ଯାଇଥିଲେ ବିଜୁବାବୁ ।