Odia News Portal

ବିଜୟଠୁ ୧ ରନ ପଛରେ ରହିଗଲା ଡିସି

ଅହମ୍ମଦାବାଦ: ରୋମାଞ୍ଚକର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଛି। ରୋମାଞ୍ଚରେ ଭରପୂର ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଛି । ଏହି ବିଜୟ ସହ ଆରସିବି ପୁଣିଥରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉଠିଛି ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ କରିଥିଲା । ଆରସିବି ଦ୍ରୁତ ଆରମ୍ଭ କରିଥିଲା। କିନ୍ତୁ କ୍ୟାପଟେନ ବିରାଟ୍ କୋହଲି (୧୨) ଓ ଦେବଦତ୍ତ ପାଡିକଲ (୧୭) ଏହି ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ ।ଜବରଦସ୍ତ ଫର୍ମରେ ଥିବା ଗ୍ଲେନ୍ ମ୍ୟାକ୍ସୱେଲ ୨୫ (୨୦ ବଲ୍‌, ୧ ଚୌକା ଓ ୨ ଛକା) ରନ୍ କରି ଅମିତ୍ ମିଶ୍ରଙ୍କ ଶିକାର ହୋଇଥିଲେ । ରଗତ ପାଟିଦାର ଓ ଏବି ଡିଭିଲିୟର୍ସ ଚତୁର୍ଥ ୱିକେଟ୍ ପାଇଁ ୫୪ ରନ ଯୋଡ଼ିଥିଲେ । ପାଟିଦାର ୩୧ (୨୨ ବଲ୍‌, ୨ ଛକା) ରନ୍ କରି ଅକ୍ଷର ପଟେଲଙ୍କ ବଲରେ ଷ୍ଟିଭ ସ୍ମିଥଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ।ତେବେ ଡି’ଭିଲିୟର୍ସ ଏକାକୀ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ ସେତେଟା ସହଯୋଗ ମିଳିନଥିଲା । ଡି’ଭିଲିୟର୍ସ ଦ୍ରୁତ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ତାଙ୍କ ସହ ଡାନିଏଲ୍ ସାମ୍ସ ୩ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା, କାଗିସୋ ରବାଡା, ଆଭେଶ ଖାନ୍‌, ଅମିତ ମିଶ୍ର ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଇନଫର୍ମ ଓପ୍ନର ଶିଖର ଧୱନ୍ ମାତ୍ର ୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ସ୍ଥାନରେ ଆସିଥିବା ଷ୍ଟିଭ୍ ସ୍ମିଥ (୪) ମଧ୍ୟ ନିରାଶ କରିଥିଲେ । ପୃଥ୍ୱୀ ଶ’ ଭଲ ଷ୍ଟାର୍ଟ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୧ ରନ୍ କରି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ଏହି ସମୟରେ ଦିଲ୍ଲୀର ସ୍କୋର ୪୭/୩ ଥିଲା । ପନ୍ତ ଓ ମାର୍କସ୍ ଷ୍ଟୋଇନିସ୍ ଚତୁର୍ଥ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ିଥିଲେ ।

ଷ୍ଟୋଇନିସ୍ (୨୨)ଙ୍କୁ ହର୍ଷଲ ଆଉଟ୍ କରିଥିଲେ । ତେବେ ହେଟମେୟର୍ ବ୍ୟାଟିଂ କରିବାକୁ ଆସିବା ପରେ ଦିଲ୍ଲୀର ରନ୍ ଗତି ବଢ଼ିଥିଲା । ହେଟମେୟରଙ୍କ ତୁଳନାରେ ପନ୍ତ ଦ୍ରୁତ ରନ୍ କରିପାରିନଥିଲେ । ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୮ ରନ୍ ଯୋଡ଼ିଥିଲେ ହେଁ ଦଳକୁ ଜିତାଇପାରିନଥିଲେ। ଆରସିବି ପକ୍ଷରୁ ହର୍ଷଲ ୨ଟି ୱିକେଟ୍ ନେଇଥିଲେ ।ଦିଲ୍ଲୀ ପକ୍ଷରୁ ଶିମରନ୍ ହେଟମେୟର୍ ଦ୍ରୁତ ଇନିଂସ୍ ଖେଳିଥିବା ବେଳେ କ୍ୟାପଟେନ୍ ଋଷଭ ପନ୍ତ ସେତେଟା ଆକ୍ରମଣାତ୍ମକ ବ୍ୟାଟିଂ କରିପାରିନଥିଲେ। ଯାହା ଦିଲ୍ଲୀ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଉଛି । ହେଟମେୟର୍ ମାତ୍ର ୨୫ ବଲରେ ୨ ଚୌକା ଓ ୪ ଛକା ସହ ଦ୍ରୁତ ୫୩ ଓ ପନ୍ତ ୪୮ ବଲରେ ୫୮ (୬ ଚୌକା) ରନ୍ କରିଥିଲେ ।