ନେପାଳ ଆନ୍ଦୋଳନରେ ନିହତ ବ୍ୟକ୍ତିଙ୍କୁ ସହିଦ ଘୋଷଣା: ନେପାଳର ନୂଆ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ, ଅନ୍ତରୀଣ ସରକାର କେବଳ ୬ ମାସ ରହିବ By Swadhikar News Last updated Sep 15, 2025 ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ରବିବାର ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନରେ ଜେନ୍ ଜେଡ୍ ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ଜାତୀୟ ସହିଦ ଭାବେ ଘୋଷଣା କରିଛନ୍ତି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶନିବାର ରାତିରେ ଶପଥ ଗ୍ରହଣ କରିଥିବା ୭୩ ବର୍ଷୀୟ କାର୍କୀ ଏହି ଘୋଷଣା ମାଧ୍ୟମରେ ଦେଶରେ ସାମ୍ପ୍ରତିକ ଅଶାନ୍ତିର ଶିକାର ହୋଇଥିବା ଯୁବବର୍ଗଙ୍କୁ ସମ୍ମାନ ଜଣାଇଛନ୍ତି।ସେପ୍ଟେମ୍ବର ୮ରୁ କାଠମାଣ୍ଡୁରେ ଆରମ୍ଭ ହୋଇଥିବା ଜେନ୍ ଜେଡ୍ ଆନ୍ଦୋଳନ ଭୟାନକ ହିଂସାର ରୂପ ନେଇଥିଲା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସରକାରର ପତନ ଘଟାଇଥିଲା। ସାମାଜିକ ଗଣମାଧ୍ୟମ ଉପରେ କଟକଣା ଲଗାଇବା ନିଷ୍ପତ୍ତିକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଖୁବ୍ ଶୀଘ୍ର ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେଲା। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ କାର୍କୀ ତାଙ୍କ ସମ୍ବୋଧନରେ ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଏବଂ ଆହତମାନଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆନ୍ଦୋଳନ ସମୟରେ ହୋଇଥିବା ଭଙ୍ଗାରୁଜା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍କୀ ଆଗାମୀ ଛଅ ମାସ ପାଇଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଏବଂ ୨୦୨୬ ମାର୍ଚ୍ଚ ୫ରେ ନୂଆ ନିର୍ବାଚନ ପରେ ନିର୍ବାଚିତ ସଂସଦକୁ କ୍ଷମତା ହସ୍ତାନ୍ତର କରିବେ। ଆଗାମୀ ୬ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ପାଇଁ ଦେଶକୁ ପ୍ରସ୍ତୁତ କରିବାକୁ ହେବ ବୋଲି କାର୍କୀ କହିଛନ୍ତି। ନେପାଳର ଆର୍ଥିକ ସଙ୍କଟ ମଧ୍ୟରେ କାର୍କୀ ସମସ୍ତ ରାଜନୈତିକ ଦଳଙ୍କୁ ଏକଜୁଟ ହୋଇ ଦେଶ ଗଠନରେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି। ନେପାଳରେ ଯୁବଶକ୍ତିର ଭୂମିକା ଓ ସୁଦୃଢ଼ ଗଣତନ୍ତ୍ର ଉପରେ କାର୍କୀ ଆଲୋକପାତ କରିଛନ୍ତି। Declaring a martyrswadhikarswadhikar news Share