ଦେଶରେ ଯକୃତ (ଲିଭର୍) ଜନିତ ରୋଗ ଦିନକୁ ଦିନ ବଢ଼ୁଛି। ଏହା ସହ ଲିଭର୍ ପ୍ରତିରୋପଣ ଚାହିଦା ମଧ୍ୟ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସ ଜୀବିତ ବ୍ୟକ୍ତି ଦାନରୁ ମିଳୁଥିବା ‘ଲାଇଭ୍ ଲିଭର ଡୋନର୍ ପ୍ରତିରୋପଣ’ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛି। ଏଥି ପାଇଁ ଏମ୍ସ ପ୍ରଶାସନ ଗୁଜରାଟ ପ୍ରତିରୋପଣ ବିଜ୍ଞାନ ବିଶ୍ବବିଦ୍ୟାଳୟ (ଗୁଜରାଟ ୟୁନିଭର୍ସିଟି ଅଫ୍ ଟ୍ରାନ୍ସପ୍ଲାଣ୍ଟେସନ ସାଇନସେସ୍)ର କୁଳପତି ଡ. ପ୍ରାଞ୍ଜଳ ମୋଦୀଙ୍କ ନେତୃତ୍ବରେ ଆଠ ଜଣିଆ କମିଟି ଗଠନ କରିଛି।
ଏମ୍ସ ଖୁବ ଶୀଘ୍ର ଏହି ସୁବିଧା ଆରମ୍ଭ କରିବ। ବର୍ତ୍ତମାନ ଏମ୍ସରେ କେବଳ ମୃତ ବ୍ୟକ୍ତିଙ୍କ ଠାରୁ ସଂଗୃହିତ ତଥା ‘କେଡେବର୍ ଡୋନର୍ ଲିଭର ପ୍ରତିରୋପଣ’ ସର୍ଜରି ବ୍ୟବସ୍ଥା ରହିଛି। ବ୍ରେନ ଡେଡ୍ ବ୍ୟକ୍ତିମାନଙ୍କ ଅଙ୍ଗଦାନ କମ ହେବା କାରଣରୁ ‘କେଡେବର ଡୋନର ଲିଭର ପ୍ରତ୍ୟାରୋପଣ’ ମଧ୍ୟ ବହୁତ କମ ହେଉଛି। ଏହି ଦୃଷ୍ଟିରୁ ଦୀର୍ଘ ଦିନରୁ ଏମ୍ସ ଦିଲ୍ଲୀରେ ‘ଲାଇଭ୍ ଡୋନର୍ ଲିଭର୍ ପ୍ରତିରୋପଣ’ ସୁବିଧାର ଆବଶ୍ୟକତା ରହିଥିଲା। ଏହା ଦ୍ବାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରୋଗୀମାନେ ବିଶେଷ ଉପକୃତ ହେବେ। ଘରୋଇ ହସ୍ପିଟାଲମାନଙ୍କରେ ଏହି ପ୍ରତ୍ୟାରୋପଣ ଅତ୍ୟନ୍ତ ବ୍ୟୟବହୁଳ। ଏଥି ପାଇଁ ରୋଗୀକୁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।