Odia News Portal

ଟିକାର ପ୍ରଥମ ଡୋଜ ନେଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: କରୋନା ଟିକା ଗ୍ରହଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଗୁରୁବାର ଦିନ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି କେଜ୍ରିୱାଲ । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି । କେଜ୍ରିୱାଲଙ୍କ ସହ ତାଙ୍କ ବାପା ଓ ମା’ ମଧ୍ୟ କରୋନା ଟିକା ନେଇଛନ୍ତି । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ବୟସ ୫୨ ବର୍ଷ ହୋଇଥିଲେ ବି ସେ ଡାଇବେଟିସ୍ ରୋଗରେ ପୀଡିତ ଥିବାରୁ ତାଙ୍କୁ ଟିକା ପ୍ରଦାନ କରାଯାଇଛି ।

ମାର୍ଚ୍ଚ ପହିଲାରୁ ଦେଶରେ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ୪୫ ବର୍ଷରୁ ଅଧିକ ବ୍ୟାଧି ପୀଡିତଙ୍କୁ ଟିକା ଦିଆଯାଉଛି । ପୂର୍ବ ୩ ଦିନ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ , ଏନସିପି ନେତା ଶରଦ ପାୱାରଙ୍କ ସମେତ ଦେଶରେ ଅନେକ ପରିଚିତ ଚେହେରା ଟିକା ନେଇସାରିଛନ୍ତି ।