Odia News Portal

ଦୁର୍ଦ୍ଧର୍ଷ ମାଓ ନେତ୍ରୀ ସୁଜାତାଙ୍କ ଆତ୍ମସମର୍ପଣ

ସୁରକ୍ଷାବାହିନୀର ଲଗାତାର ଏନ୍‌କାଉଣ୍ଟର ନକ୍ସଲ ସଂଗଠନକୁ ଦୋହଲାଇ ଦେଇଛି। ଘନଘନ ଆକ୍ରମଣରେ ଭୟଭୀତ ହୋଇ ପଡ଼ିଛନ୍ତି ବହୁ କ୍ୟାଡର୍‌। ଆତ୍ମସମର୍ପଣ ଛଡ଼ା ଅନ୍ୟ କିଛି ବିକଳ୍ପ ନଥିବାରୁ ସମାଜର ମୁଖ୍ୟସ୍ରୋତକୁ ଜଣେ ପରେ ଜଣେ ଫେରୁଛନ୍ତି। ଶନିବାର ମାଓ ସଙ୍ଗଠନର ଅନ୍ୟତମ ଦୁର୍ଦ୍ଧର୍ଷ ନେତ୍ରୀ, କେନ୍ଦ୍ରୀୟ କମିଟିର ସଦସ୍ୟ ସୁଜାତା ଓରଫ୍‌ କଳ୍ପନା ଓରଫ୍‌ ପଦ୍ମାବତୀ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। କେନ୍ଦ୍ରୀୟ କମିଟି ସଦସ୍ୟ ସୁଜାତା ବାମପନ୍ଥୀ ଉଗ୍ରବାଦୀ ସଙ୍ଗଠନର ଦକ୍ଷିଣ ସବ୍‌ ଜୋନାଲ୍‌ ବ୍ୟୁରୋ ସଚିବ, ଜନତା ସରକାର ଇନ୍‌ଚାର୍ଜ ଓ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍‌ କମିଟିର ମୁଖ୍ୟ ଦାୟିତ୍ବରେ ଥିଲେ। ୬୨ ବର୍ଷୀୟ ସୁଜାତା ଲଗାତାର ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ରହୁଥିଲେ। ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ସରକାରଙ୍କୁ ସହଯୋଗ କରିବା ପାଇଁ ସୁଜାତା ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପୁଲିସ କହିଛି। ସୁଜାତାଙ୍କ ନାମରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିଲା। ଯୁକ୍ତ ଦୁଇ ଶିକ୍ଷା ପରେ ସୁଜାତା କମ୍ୟୁନିଷ୍ଟ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇଥିଲେ। ଭାଇ ସୁଧାକର ରେଡ୍ଡୀ କେନ୍ଦ୍ରୀୟ କମିଟିର ସଦସ୍ୟ ଥିବାରୁ ମାଓ ସଂଗଠନ ସହ ଜଡ଼ିତ ହେବାକୁ ପରାମର୍ଶ ଦେଇଥିଲେ। ନକ୍ସଲ ନେତା ସୁଦର୍ଶନ ରେଡ୍ଡୀଙ୍କ ସଂସ୍ପର୍ଶରେ ଆସିବା ପରେ ସୁଜାତା ୧୯୮୨ ମସିହାରେ ମାଓ ସଂଗଠନରେ ଗାଁ ସାଥୀ ଭାବେ କାମ ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ପଦୋନ୍ନତି ପାଇ କେନ୍ଦ୍ରୀୟ କମିଟି ସଦସ୍ୟ ହୋଇଥିଲେ। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସଂଗଠନ ସହ ଜଡ଼ିତ ଥିଲେ ସୁଜାତା। ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପଶ୍ଚିମବଙ୍ଗ ରାଜ୍ୟ କମିଟି ସଚିବ କିଷନଜୀ ଓରଫ୍‌ କୋଟେଶ୍ବର ରାଓଙ୍କୁ ସେ ବିବାହ କରିଥିଲେ। ସ୍ବାମୀ କିଷନଜୀ ସହ ବହୁ ସ୍ଥାନକୁ ଯାଇ ସୁଜାତା ମାଓ ଅପରେସନ୍‌ରେ ଭାଗ ନେଇଛନ୍ତି। ୨୦୦୭ରୁ ୨୦୨୨ ପର୍ଯ୍ୟନ୍ତ ପୁଲିସ ସହ ଗୁଳି ବିନିମୟରେ ସାମିଲ ହୋଇ ଶତାଧିକ ଯବାନଙ୍କୁ ହତ୍ୟା କରିଥିବା ସୁଜାତା ସ୍ବୀକାର କରିଛି। ସୁଜାତାଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଥିବାବେଳେ ବାପା ଜଣେ ଚାଷୀ। ସୁଜାତାଙ୍କର ଗୋଟିଏ ଝିଅ ଅଛି। ୨୦୦୯ରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ଭାଇ ସୁଧାକର ଏବଂ ୨୦୧୧ ନଭେମ୍ବର ୨୪ରେ ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାରେ ପୁଲିସ ଏନ୍‌କାଉଣ୍ଟରରେ ସ୍ବାମୀ କିଷନଜୀଙ୍କର ମୃତ୍ୟୁ ହୋଇଥିଲା । ସୁଜାତା ଆତ୍ମସମର୍ପଣ କରିବା ପରେ ପୁଲିସ ପ୍ରଶାସନ ପକ୍ଷରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗକୁ ଜୀବିକା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ କହିଛି। ତେଲେଙ୍ଗାନାରେ ଏଯାବତ୍‌ ୪୦୪ କ୍ୟାଡର୍‌ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରେ ୪ କେନ୍ଦ୍ରୀୟ କମିଟି ସଦସ୍ୟ ଅଛନ୍ତି। ତେଲେଙ୍ଗାନା ଡିଜିପି ଅନ୍ୟ ନକ୍ସଲଙ୍କୁ ମଧ୍ୟ ଘରକୁ ଓ ଗାଁକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ସଂଗଠନକୁ ମୂଳପୋଛ କରିବା ଲାଗି ପୁଲିସ ଲକ୍ଷ୍ୟ ରଖିଛି।