Odia News Portal

ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇବେ ଯାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା କଡା ନିୟମ । ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇ ଦେବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଡିଜିସିଏ । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସବୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ତତ୍କାଳ ଏହି ନିର୍ଦ୍ଦେଶ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ । ଠିକ୍ ଭାବରେ ମାସ୍କ ପିନ୍ଧିବା ପାଇଁ ଯାତ୍ରୀଙ୍କୁ ବାରମ୍ବାର ତାଗିଦ କରିବା ପରେ ସମ୍ପୃକ୍ତ ଯାତ୍ରୀ ଜଣକ ମାସ୍କ ଠିକ୍ ଭାବରେ ନପିନ୍ଧିଲେ ତାଙ୍କୁ ବିମାନରୁ ଓହ୍ଳାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛି ଡିଜିସିଏ ।

ଏପରିକି ବିନା ମାସ୍କରେ ଯେପରି କେହି ବିମାନବନ୍ଦରକୁ ପ୍ରବେଶ କରିବେ ନାହିଁ ତା ଉପରେ ନଜର ରଖିବ ସିଆଇଏସଏଫ । ଏପରିକି ଯାତ୍ରା କରୁଥିବା ସମୟରେ ବିମାନବନ୍ଦରରେ କିଛି ଯାତ୍ରୀ ଠିକ୍ ଭାବେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଥିବା କହିଛି ଡିଜିସିଏ । ଏହାକୁ ଦୃଷ୍ଟିରେ ରଖି ଏହି ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ।ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା, ପିପିଇ କିଟ୍, ସାନିଟାଇଜର ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି ଯଦି କୌଣସି ଯାତ୍ରୀ କୋଭିଡ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ସତର୍କ କରାଯିବ । ଯଦି ବାରମ୍ବାର ସତର୍କ କରାଯିବା ପରେ ବି ଯାତ୍ରୀ ଜଣକ ନିୟମ ନମାନିବେ ତେବେ ତାଙ୍କୁ ବଳପୂର୍ବକ ବିମାନରୁ ଓହ୍ଲାଇ ଦିଆଯିବ ।