ନୂଆପଡ଼ାରେ ପୁଲିସ ମହାନିର୍ଦ୍ଦେଶକ: ଉପନିର୍ବାଚନ ପରିଚାଳନା ଓ ମାଓ ସ୍ଥିତି ଉପରେ ସମୀକ୍ଷା By Swadhikar News Last updated Oct 26, 2025 ନୂଆପଡ଼ା ଉପନିର୍ବାଚନ ପାଇଁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶନିବାର ନୂଆପଡ଼ା ଗସ୍ତରେ ଆସିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ପ୍ରଥମେ ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ସୁନାବେଡ଼ା ଓ ଦାତୁନାମା ସିଆର୍ପିଏଫ୍ କ୍ୟାମ୍ପ ଓ ପରେ ଜାମଗାଁରେ ଅବସ୍ଥିତ ଆଇଆର ବାଟାଲିୟନ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ମୁତୟନ ଥିବା ଅର୍ଦ୍ଧସାମରିକ ବଳ, ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ଉପନିର୍ବାଚନ ପରିପ୍ରେକ୍ଷୀରେ ନୂଆପଡ଼ାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସାଙ୍ଗକୁ ମାଓବାଦୀଙ୍କ ମୁକାବିଲା ପାଇଁ ସଜାଗ ରହିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳରେ ପୋଲିଂ ପାର୍ଟିମାନଙ୍କୁ ବୁଥ୍ରେ କିପରି ସୁରକ୍ଷା ଦିଆଯିବ ସେ ନେଇ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାରେ ଲାଗିରହିଥିବାରୁ ସମସ୍ତ ସୀମାକୁ ସିଲ୍ କରାଯିବା ସହ ବିଭିନ୍ନ ସ୍ଥାନରେ ଚେକ୍ପୋଷ୍ଟ ଖୋଲାଯାଇଛି। ଉପନିର୍ବାଚନ ସମୟରେ ମାଓବାଦୀମାନେ ଯେପରି କୌଣସି ଅଘଟଣ ନଘଟାଇବେ ସେଥିପାଇଁ ଓଡ଼ିଶା – ଛତିଶଗଡ଼ ପୁଲିସ ଦ୍ବାରା ଅପରେସନ୍କୁ ଜୋରଦାର କରାଯାଇଛି। ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଥିଲେ। ବୈଠକରେ ନୂଆପଡ଼ା ଏସ୍ପି ଅମୃତପାଲ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅପରେସନ୍) ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର, ଆଇଜିପି ଉତ୍ତରାଞ୍ଚଳ ହିମାଂଶୁ ଲାଲ, ଡିଆଇଜି ଅପରେସନ୍ ଅଖିଳେଶ୍ୱର ସିଂହ, ଡିଆଇଜି ଦକ୍ଷିଣାଞ୍ଚଳ ଡ. କେ. ଭି. ସିଂହ, କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା, ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି.ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। swadhikarswadhikar news Share