ଶିମିଳିପାଳ କଳାବାଘକୁ ନେଇ ଚର୍ଚ୍ଚା ଥମୁନି: ୩୨ବର୍ଷ ପୂର୍ବରୁ ଠାବ ହୋଇଥିଲା ପ୍ରଥମ କଳାବାଘ By Swadhikar News Last updated Sep 22, 2025 ‘ନ୍ୟାସ୍ନାଲ୍ ଜିଓଗ୍ରାଫିକ୍’ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଛି ଶିମିଳିପାଳର କଳାବାଘ। ଯାହାକି ଶିମିଳିପାଳକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ତେବେ, ଶିମିଳିପାଳ ସହ କଳାବାଘର ସମ୍ପର୍କ ଆଜିର ନୁହେଁ। ପ୍ରାୟ ୩୨ବର୍ଷ ତଳୁ କଳାବାଘକୁ ନେଇ ଶିମିଳିପାଳ ଚର୍ଚ୍ଚାକୁ ଆସିଛି। ଶିମିଳିପାଳ ମହାବଳ ବାଘଙ୍କ ଅବାଧ ଚରାଭୂଇଁରେ ପରିଣତ ହେବାପରେ ପ୍ରଥମେ ୧୯୯୩ ଜୁଲାଇ ୨୧ରେ କଳାବାଘକୁ ଠାବ କରାଯାଇଥିଲା। କିଛି ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶିମିଳିପାଳ ବନାଞ୍ଚଳକୁ ଲାଗିଥିବା ପୋଡ଼ାଗଡ଼ର ଜଣେ ଆଦିବାସୀ ସୁରାଇ ବେଶ୍ରା ପ୍ରଥମେ କଳାବାଘ ଦେଖିଥିଲେ। ସୁରାଇ ସକାଳୁ ଗୁହାଳରୁ ଗୋରୁ ଫିଟାଇବା ସମୟରେ ସେଠାରେ ଏକ ବାଘ ଲୁଚିଥିବା ଦେଖିବାକୁ ପାଇଥିଲେ। ବାଘଟି ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ସେ ଆତ୍ମରକ୍ଷା ପାଇଁ ତୀରମାଡ଼ କରି ମାରି ଦେଇଥିଲେ। ମୃତବାଘକୁ ଯଶିପୁରର ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟକୁ ନିଆଯାଇ ପରୀକ୍ଷା କରାଯାଇଥିଲା। ବାଘଟିର ଦେହସାରା ଆବୃତ୍ତ କଳା ଲୋମ ଉପରେ ଥିଲା ପଟାପଟା ହଳଦିଆ ଦାଗ। ମୁହଁଠାରୁ ଲାଞ୍ଜ ମୂଳ ପର୍ଯ୍ୟନ୍ତ ଏକ ଚଉଡ଼ା ଧଳାରେଖା ଥିଲା। ପ୍ରାଣୀ ବିଜ୍ଞାନ ଭାଷାରେ ‘ମେଲାନିଷ୍ଟିକ୍ ଟାଇଗର’ ବୋଲି କୁହାଯାଉଥିବା ଏହି ବିଶେଷ ବାଘ ପ୍ରଜାତିର ଚମଡ଼ାକୁ ଏ ପର୍ଯ୍ୟନ୍ତ ସାଇତି ରଖାଯାଇଛି। ଏହାକୁ ନେଇ ମଧ୍ୟ ଗବେଷଣା ଚାଲିଛି। ଏହାପରେ ୨୦୦୬ ମସିହାରେ ଭାରତୀୟ ବନ୍ୟଜୀବନ ପ୍ରତିଷ୍ଠାନ, ଡେରାଡୁନ୍ ଶିମିଳିପାଳର ବରାକାମୁଡ଼ାର ୧୨୦ ବର୍ଗ କି.ମି. ଇଲାକାରେ କ୍ୟାମେରା ଖଞ୍ଜି ଯେଉଁ ବ୍ୟାଘ୍ର ଗଣନା କରିଥିଲେ, ସେଥିରେ ୭ଟି ବାଘର ଫଟୋଚିତ୍ର ମଧ୍ୟରୁ ୪ଟି କଳାବାଘକୁ ଠାବ କରାଯାଇଥିଲା। ବିଶେଷଜ୍ଞଙ୍କ କହିବା କଥା, ଜିନ୍ଗତ ଅବକ୍ଷୟ କାରଣରୁ ଶିମିଳିପାଳରେ କଳାବାଘ ସୃଷ୍ଟି ହେଉଛନ୍ତି। ଭିନ୍ନ ଅଭୟାରଣ୍ୟରୁ ଆସିଥିବା ଜୀନ୍ନତ ମାଆ ହେଲେ କଳାବାଘ ନା ସ୍ୱାଭାବିକ ମହାବଳ ବାଘ ଜନ୍ମ ହେବ ସେନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ସର୍ବେକ୍ଷଣ ଅନୁଯାୟୀ ଏବେ ଶିମିଳିପାଳରେ ୬ ଶାବକଙ୍କୁ ମିଶାଇ ୪୦ ମହାବଳ ରହିଛନ୍ତି। ସେଥିମଧ୍ୟରୁ କଳା ମହାବଳ ସଂଖ୍ୟା ୧୮ ରହିଛି। କେବଳ କଳାବାଘଙ୍କୁ ନେଇ ବାରିପଦାଠାରେ ଏକ ସଫାରି ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୧୬ ବର୍ଷ ଧରି ଗବେଷଣା କରିଥିବା ଡ. ଲାଲା ଏକେ ସିଂହ କହିଛନ୍ତି, ପ୍ରଥମେ କଳାବାଘ ଠାବ ହେବାପରେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲୁ। ସେତେବେଳେ ରଙ୍ଗରେ ଭିନ୍ନତା, ସେମାନଙ୍କ ଗତିବିଧି, ଜୀବନଶୈଳୀ ସହିତ ଆମ ଦେଶରେ କେହି ପରିଚିତ ନଥିଲେ। ମୋ ଗବେଷଣା କାଳରେ ୧୨ ଜାଗାରେ କଳାବାଘ ଉପସ୍ଥିତ ଥିବା ଜଣାପଡ଼ିଥିଲା। ସେ ଆହୁରି ମଧ୍ୟ କହିଛନ୍ତି, କଳାବାଘର ସୃଷ୍ଟି ପଛରେ ଜଳବାୟୁର ପ୍ରଭାବ ନେଇ ସେମିତି କିଛି ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନଥିଲା। ତେବେ, ପ୍ରଜନନ କ୍ଷମତାର ତାରତମ୍ୟ ପାଇଁ ଏଭଳି ଅସ୍ବାଭିବକ ବର୍ଣ୍ଣ ନେଇ ବାଘ ଜନ୍ମ ନେଉଥିବା ଜଣାପଡ଼ିଥିଲା। ବାଘବଂଶ କମି ଚାଲିଥିବା ଯୋଗୁଁ ପ୍ରଜନନରେ ଅସ୍ୱାଭାବିକତା ହିଁ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। similipalaswadhikarswadhikar news Share