Odia News Portal

ଟିଏମସିରେ ଫାଟ,ଟିକେଟ ବଣ୍ଟନକୁ ନେଇ ମତାନ୍ତର

ଏକଜୁଟ ହୋଇ ବିଜେପି ବିରୋଧରେ ଲଢୁଥିବା ଟିଏମସିରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ସୁପ୍ରିମୋ ମମତା ବାନାର୍ଜୀ ଓ ଦ୍ୱିତୀୟ ନମ୍ବର ନେତା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ପୌର ନିର୍ବାଚନ ଟିକେଟ୍ ବଣ୍ଟାକୁ ନେଇ ମତଭେଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ରବିବାର ଟିଏମସିର କିଛି ନେତା ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମସରେ ଖବର ପ୍ରକାଶ ପାଇଛି।
୧୦୮ଟି ପୌର ୱାର୍ଡ ପାଇଁ ନିର୍ବାଚନ ହେବ। ଏଥିପାଇଁ ଟିଏମ୍ସି ପକ୍ଷରୁ ୨୨୦୦ ପ୍ରାର୍ଥୀଙ୍କ ଘୋଷଣା କରାଯାଇଛି। ଯେଉଁଥିରେ ୧୫୦ ପ୍ରାର୍ଥୀଙ୍କୁ ନେଇ ମମତା ଓ ଅଭିଷେକଙ୍କ ମଧ୍ୟରେ ମତଭେଦ ରହିଛି ବୋଲି ଟିଏମସି ନେତା ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଟିକେଟ୍କୁ ନେଇ ଦଳ ଭିତରେ ବିଦ୍ରୋହ ମଧ୍ୟ ଆରମ୍ଭ ହୋଇଗଲାଣି।
ପଶ୍ଚିମବଙ୍ଗର ୧୯ ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ବେଳେ କେତେକ ସ୍ଥାନରେ ବିଦ୍ରୋହର ସ୍ୱର ଶୁଣାଗଲାଣି। ସ୍ଥିତି ନିୟନ୍ତ୍ରଣ ପାଇଁ ଦକ୍ଷିଣ ୨୪ ପ୍ରଗଣା ଓ ଉତ୍ତର ୨୪ ପ୍ରଗଣା ପୁଲିସ ଟିଏମସି କର୍ମୀଙ୍କ ଉପରେ ଲାଠି ଚାର୍ଜ କରିଥିବା ମଧ୍ୟ ସୂଚନା ମିଳିଛି।
ସ୍ଥିତି ଏମିତି ହୋଇଛି ଯେ ଟିଏମସି ଟ୍ରେଡ୍ ୟୁନିୟନର କର୍ମଚାରୀମାନେ ବସ୍ ସେବା ନିଲମ୍ବିତ କରିଛନ୍ତି। ପ୍ରାର୍ଥୀଙ୍କ ଏକ ତାଲିକାକୁ ମମତା ବାନାର୍ଜୀଙ୍କ ମଞ୍ଜୁରୀ ପରେ ଦଳର ସାଧାରଣ ସମ୍ପାଦକ ପ୍ରାର୍ଥ ଚାଟାର୍ଜୀ ଓ ସୁବ୍ରତ ବକ୍ସି ରିଲିଜ୍ କରିଥିଲେ। କିନ୍ତୁ ଗୋଟିଏ ଲିଷ୍ଟ ଟ୍ୱିଟର ଓ ଫେସ୍ବୁକ୍ ପେଜରେ ଅପଲୋଡ କରାଯାଇଥିଲା।
ସୂଚନା ଅନୁସାରେ ଘୋଷଣା ହୋଇଥିଲା ୧୫୦ ପ୍ରାର୍ଥୀଙ୍କ ନାଁ ଉପରେ ମମତା ବାନାର୍ଜୀଙ୍କ ଆପତ୍ତି ରହିଛି। ଏନେଇ ଟିଏମସିର ଜଣେ ବରିଷ୍ଠ ନେତ ନିଜ ନାଁ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇ କହିଛନ୍ତି ଯେ ” ଦଳ ପକ୍ଷରୁ ୨୨୦୦ ପ୍ରାର୍ଥୀ ମୌଦାନକୁ ଓହ୍ଲାଇବେ। ଏମାନଙ୍କ ମଧ୍ୟରୁ ମମତାଙ୍କୁ ୧୫୦ ନାଁ ଉପରେ ଆପତ୍ତି ରହିଛି। ଟ୍ୱିଟର ଓ ଫେସବୁକ ପେଜରେ ଅପଲୋଡ ହୋଇଥିବା ପ୍ରାର୍ଥୀ ତାଲିକାରେ ଏହି ପ୍ରାର୍ଥୀମାନଙ୍କ ନାଁ ରହିଛି।” କେବଳ ସେତିକି ନୁହେଁ ମମତାଙ୍କୁ ନ ଜାଣି ଏହି ତାଲିକା ଅପଲୋଡ କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପଟେ କୋଲକତା ମେୟର ତଥା ମମତାଙ୍କ ନିକଟତର କୁହାଯାଉଥିବା ଫିରହା ହାକିମ କହିଛନ୍ତି ଯେ ଯେଉଁମାନଙ୍କୁ ଦଳର ଡିଜିଟାଲ୍ ମିଡିଆ ପାସୱାର୍ଡ ଦିଆଯାଇଛି ସେମାନେ ଏହି ଦ୍ୱିତୀୟ ତାଲିକା ଅପଲୋଡ କରିଛନ୍ତି, ଯାହାକୁ ଅନୁମତି ଦିଆଯାଇ ନଥିଲା ବୋଲି ସେ କହିଛନ୍ତି।