Odia News Portal

ପରାଜୟର ରାଗ ଭାରତ ଉପରେ ବାହାର କଲେ ଡୋନାଲ୍ଡ ଟ୍ରମ୍ପ!

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୨୦୨୬ ଆମେରିକାର ମିଡ଼ଟର୍ମ ନିର୍ବାଚନରେ ନାକକାମୁଡ଼ିବା ପରେ ରକ୍ତ ଚାଉଳ ଚୋବାଉଛନ୍ତି ରାଷ୍ଟ୍ରପତି ଡୋଲାଣ୍ଡ ଟ୍ରମ୍ପ । ନିର୍ବାଚନରେ ​​ପରାଜୟର ରାଗ ସିଧା ସିଧା ସେ ଭାରତ ଉପରେ ବାହାର କରିଛନ୍ତି। ଇରାନକୁ ସହଯୋଗ କରୁଥିବା ଅଭିଯୋଗରେ ଭାରତୀୟ ଦମ୍ପତିଙ୍କ ସମେତ ଭାରତ ଓ ତୁର୍କୀ ସହ ଜଡ଼ିତ ପ୍ରାୟ ୯ଟି କମ୍ପାନୀ ଉପରେ କଟକଣା ଲଗାଇଛି ଆମେରିକା। ଆମେରିକାର ଟ୍ରେଜେରୀ ବିଭାଗ ପକ୍ଷରୁ ଏହି କଟକଣା ଘୋଷଣା କରାଯାଇଛି। ଆମେରିକାର ଅଭିଯୋଗ ଅନୁସାରେ, ଏହି ବ୍ୟକ୍ତି ଓ କମ୍ପାନୀଗୁଡ଼ିକ ଇରାନର ତୈଳ ବାଣିଜ୍ୟ ଏବଂ ଗୁପ୍ତ ଜାହାଜ ନେଟୱର୍କକୁ ସହଯୋଗ କରୁଥିଲେ। ଏହାଦ୍ୱାରା ଇରାନ ଆମେରିକାର କଟକଣାକୁ ଏଡ଼ାଇ ତୈଳ ବିକ୍ରି କରିବାରେ ସକ୍ଷମ ହେଉଥିଲା ବୋଲି ଆମେରିକା ଦାବି କରିଛି।ଆମେରିକାର ଟ୍ରେଜେରୀ ବିଭାଗ କହିଛି, ଇରାନର ତୈଳ ବାଣିଜ୍ୟକୁ ସହଯୋଗ କରୁଥିବା କୌଣସି ସଂସ୍ଥାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏପରିକି କମ୍ପାନୀଗୁଡ଼ିକୁ ଆମେରିକା କିମ୍ବା ଇରାନ ମଧ୍ୟରୁ ଗୋଟିଏ ପକ୍ଷ ବାଛିବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।

ତେବେ ଆମେରିକା କାହା କାହା ଉପରେ ଲଗାଇଛି କଟକଣା?

ଆମେରିକାର ତାଲିକାରେ ରହିଛନ୍ତି ଭାରତରେ ରହୁଥିବା ସୁନୀଲ କୁମାର ଶର୍ମା ଏବଂ ତାଙ୍କ ପତ୍ନୀ ଜସପ୍ରୀତ ପ୍ରୀତି ଶାହିଦ। ଏହାସହ ସେମାନଙ୍କ ବ୍ୟବସାୟ ପରିଚାଳନାରେ ଜଡ଼ିତ ଅନ୍ୟ ଦୁଇଜଣ ଭାରତୀୟ ନାଗରିକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି। ସୁନୀଲ ଶର୍ମାଙ୍କ ବ୍ୟବସାୟ ସହ ଜଡ଼ିତ ୯ଟି କମ୍ପାନୀକୁ ମଧ୍ୟ ନିଷିଦ୍ଧ ତାଲିକାରେ ସାମିଲ କରାଯାଇଛି। ଆମେରିକାର ଅଭିଯୋଗ ହେଉଛି, ଏହି ନେଟୱର୍କ ଇରାନର ‘ଶାଡୋ ଫ୍ଲିଟ୍’ ବା ଗୁପ୍ତ ଜାହାଜ ବାହିନୀକୁ ସହଯୋଗ କରୁଥିଲା। ନିଜ କମ୍ପାନୀ ଜରିଆରେ ଇରାନର ତୈଳ ବାଣିଜ୍ୟରେ ସାମିଲ ଥିବା କଟକଣାଭୁକ୍ତ ଜାହାଜଗୁଡ଼ିକୁ ନକଲି ଜାତୀୟ ପତାକା ଏବଂ ଜାହାଜ ପଞ୍ଜୀକରଣ ପ୍ରମାଣପତ୍ର ଯୋଗାଇ ଦିଆଯାଉଥିଲା।

ଏହି ଜାହାଜଗୁଡ଼ିକ ଇରାନର ସେନା ଏବଂ ତାହାର ସମର୍ଥିତ ସଂଗଠନଗୁଡ଼ିକ ପାଇଁ କାମ କରୁଥିବା ମଧ୍ୟ ଆମେରିକା ଅଭିଯୋଗ କରିଛି। ନକଲି କାଗଜପତ୍ର ଏବଂ ପତାକା ବ୍ୟବହାର କରି ଏହି ଜାହାଜଗୁଡ଼ିକ ଅନ୍ତର୍ଜାତୀୟ ନିୟମକୁ ଏଡ଼ାଇବା ସହ ନିରୀକ୍ଷଣରୁ ଖସିଯାଉଥିଲେ ବୋଲି କୁହାଯାଇଛି। ଏପରିକି ଅନେକ ଜାହାଜରେ ଆବଶ୍ୟକୀୟ ବୀମା ମଧ୍ୟ ନଥିବା ଅଭିଯୋଗ ହୋଇଛି।

ସମୁଦ୍ର ପଥରେ ଅନ୍ୟ ଦେଶକୁ ଆର୍ଥିକ କ୍ଷତି!

ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟଙ୍କ କହିବା ଅନୁସାରେ, ସୁନୀଲ ଶର୍ମାଙ୍କ ନେଟୱର୍କ ଜରିଆରେ ଇରାନର କଟକଣାଭୁକ୍ତ ଜାହାଜଗୁଡ଼ିକ ବିଭିନ୍ନ ଦେଶର ସମୁଦ୍ର ସୀମାରେ ଯାତାୟାତ କରୁଛନ୍ତି। ଏହାଦ୍ୱାରା ସମ୍ପୃକ୍ତ ଦେଶଗୁଡ଼ିକର ଅର୍ଥନୀତିକୁ କୋଟି କୋଟି ଡଲାରର କ୍ଷତି ହେଉଥିବା ଆମେରିକା ଦାବି କରିଛି। କେବଳ ଭାରତ ନୁହେଁ, ତୁର୍କୀର ଫ୍ୟୁଗୋ ଗ୍ରାଉଣ୍ଡ ସର୍ଭିସେସ୍ ଇଙ୍କ୍ ନାମକ କମ୍ପାନୀ ଉପରେ ମଧ୍ୟ କଟକଣା ଲଗାଯାଇଛି। ଆମେରିକାର ଅଭିଯୋଗ ଅନୁସାରେ, ଏହି କମ୍ପାନୀ ଇରାନର କଟକଣାଭୁକ୍ତ ବିମାନ ଚଳାଚଳ କ୍ଷେତ୍ରକୁ ସହାୟତା ଯୋଗାଇ ଆସୁଥିଲା। ବିଶେଷକରି ଇରାନର ଇରାନ୍ ଏୟାର ଟୁର୍, ସାହା ଏୟାରଲାଇନ୍ସ, ତାବାନ୍ ଏୟାରଲାଇନ୍ସ ଏବଂ ଅଟା ଏୟାରଲାଇନ୍ସକୁ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ବିମାନ ସଂସ୍ଥାଗୁଡ଼ିକ ତୁର୍କୀକୁ ନିୟମିତ ବିମାନ ଚଳାଚଳ କରୁଥିଲେ।

ଚଣ୍ଡିଗଡ଼ର ଦମ୍ପତିଙ୍କ ଉପରେ ସାଂଘାତିକ ଅଭିଯୋଗ!

ଆମେରିକାର ଅଭିଯୋଗ ଅନୁସାରେ, ଚଣ୍ଡିଗଡ଼ର ବାସିନ୍ଦା ସୁନୀଲ ଶର୍ମା ଏବଂ ତାଙ୍କ ପତ୍ନୀ ବିଭିନ୍ନ ଦେଶର ପ୍ରତିନିଧି ବୋଲି ମିଥ୍ୟା ଦାବି କରିଥିଲେ। ଗୁୟାନା, ଏସ୍ୱାତିନି ଏବଂ ଲାଓସ୍ ଭଳି ଦେଶର ନାମ ବ୍ୟବହାର କରି ନକଲି ଜାହାଜ ପତାକା ଓ ପ୍ରମାଣପତ୍ର ଜାରି କରାଯାଉଥିବା ଅଭିଯୋଗ ରହିଛି।ଏଥିପାଇଁ ୱେବ୍ ଡୋମେନ୍ କିଣିବା ସହ ଭାରତରେ ନିଜସ୍ୱ କମ୍ପାନୀର ଏକ ନେଟୱର୍କ ଗଠନ କରାଯାଇଥିଲା ବୋଲି ଆମେରିକା କହିଛି। ଏହି କମ୍ପାନୀଗୁଡ଼ିକ ମାଧ୍ୟମରେ ନକଲି ଜାହାଜ ପଞ୍ଜୀକରଣ ବ୍ୟବସ୍ଥା ଚାଲିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଆମେରିକାର ଏହି କଠୋର ଆର୍ଥିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଅବ୍ସିଡିଆନ୍ ରିସ୍କ ଆଡଭାଇଜର୍ସର ମ୍ୟାନେଜିଂ ପ୍ରିନ୍ସିପାଲ୍ ବ୍ରେଟ୍ ଏରିକ୍ସନଙ୍କ ମତରେ, ମିଡ୍ଟର୍ମ ନିର୍ବାଚନରେ ଟ୍ରମ୍ପ ପ୍ରଶାସନକୁ ଝଟକା ଲାଗିଥିଲେ ମଧ୍ୟ ଇରାନ ବିରୋଧରେ ଆମେରିକାର ଆର୍ଥିକ ଚାପ ଆହୁରି ବଢ଼ୁଛି।

ତେବେ ଏହି କଟକଣା ଭାରତ-ଆମେରିକା ସମ୍ପର୍କ ଉପରେ କି ପ୍ରଭାବ ପକାଇବ? ଇରାନ ସହ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟ ଆମେରିକାର ଏଭଳି ଚାପର ସମ୍ମୁଖୀନ ହେବେ କି? ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହି ଘଟଣାର ପରବର୍ତ୍ତୀ ପରିଣାମ ଉପରେ ଏବେ ସମସ୍ତଙ୍କ ନଜର।