Odia News Portal

ଡିଲରଙ୍କ ହାତରେ ଗାଡି ମାଲିକଙ୍କ ଭାଗ୍ୟ

ଆରଟିଓ କ୍ଷମତା ସଙ୍କୁଚିତ

ଭୁବନେଶ୍ୱର: ନୂଆ ଗାଡି କିଣୁଥିବା ମାଲିକଙ୍କ ତରଫରୁ ଗାଡିର ପଞ୍ଜିକରଣ ପାଇଁ ଆରଟିଓ ଅଫିସରରେ ଡିଲରମାନେ ଆବେଦନ କରୁଥିବା ସରକାର ଦର୍ଶାଉଛନ୍ତି । ଆରଟିଓ ଅନୁମତି ଦେଲେ ଗାଡିର ପଞ୍ଜିକରଣ ହେଉଛି । ଏହା ଆଇନ୍‌ ସମ୍ମତ ବୋଲି ବିଧାନସଭାରେ କୁହାଯାଇଛି ।

ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଗାଡି ପଞ୍ଜିକରଣର ସମସ୍ତ କ୍ଷମତା ଏବେ ଡିଲରଙ୍କ ହାତରେ । ସେମାନେ କାଗଜପତ୍ର ଯାଞ୍ଚ କରୁଛନ୍ତି । ପଇସା ନେଉଛନ୍ତି ଓ ନମ୍ବର ଦେଉଛନ୍ତି । ଆରଟିଓ କେବଳ ନାଁକୁ ମାତ୍ର । ସେମାନଙ୍କର କିଛି କରିବାର ନାହିଁ । ଡିଲର ଯାହା ପଠାଉଛନ୍ତି ତାହା ଉପରେ କେବଳ ମୋହର ମାରିବା କଥା । ହେଲେ ସରକାର କିନ୍ତୁ ବିଧାନସଭାରେ ଦର୍ଶାଉଛନ୍ତି ଯେ ସବୁକିଛି ଆରଟିଓ କରୁଛନ୍ତି ।

ରାଜ୍ୟ ସରକାର ଗତ ଅକ୍ଟୋବର ମାସରୁ କାଗଜବିହୀନ ପଞ୍ଜିକରଣ ଆଳରେ ଡିଲରଙ୍କ ହାତକୁ କ୍ଷମତା ଟେକିଦେବା ପରେ ରାଜଧାନୀରୁ ରାଉରକେଳା ଓ କଟକ ପର୍ଯ୍ୟନ୍ତ ମାଳ ମାଳ ଅଭିଯୋଗ ଆସିବାରେ ଲାଗିଛି । ଖୋଦ ରାଜଧାନୀରେ ଜଣେ ଗାଡି ଡିଲର ଦଶହରା ଭିଡରେ ବିନା ପଞ୍ଜିକରଣରେ ଗାଡି ଦେଇଦେଲେ । ଧରାପଡିବା ପରେ ତାଙ୍କ ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଅନୁରୂପ ଅଭିଯୋଗ ରାଉରକେଲା ଓ କଟକରୁ ଆସିଥିଲା ।

ତେବେ ଯେଉଁ କାମ ସରକାରୀ କର୍ମଚାରୀ କରିବାକଥା ତାହାକୁ ସରକାର କାହିଁକି ଗାଡି ବେପାରୀଙ୍କ ହାତକୁ ଟେକିଦେଲେ ତାହାର କୁଳ କିନାରା କେହି ପାଉ ନାହାନ୍ତି । କ୍ଷମତା ପାଇବାପରେ ଏବେ କିଛି ଡିଲର ସେମାନଙ୍କର ବେପାର ଆରମ୍ଭ କରିଦେଲେଣି । କିଏ ଅଧିକ ଦିନ ବୀମା କରିବାକୁ ବାଧ୍ୟ କରୁଛି ତ ଆଉ କିଏ ରୋଡ ସାଇଡ୍‌ ସହାୟତା ନାଁରେ ଅର୍ଥ ଆଦାୟ କରୁଛନ୍ତି । କିଛି ଡିଲର ତ ଚଏସ ନମ୍ବର ଦେବାପାଇଁ କାରସାଦି ଆରମ୍ଭ କରିଦେଲେଣି ।

ଡିଲରଙ୍କ ହାତକୁ ନମ୍ବର ପ୍ରଦାନ କ୍ଷମତା ଯିବାପରେ ଅନେକ ନେତା ଓ ସରକାରୀ ବାବୁ ଏବେ ନମ୍ବରଟିଏ ପାଇବାପାଇଁ ନାକେଦମ ହେଲେ ମଧ୍ୟ କେହି କିଛି କରିପାରୁନାହାନ୍ତି । ସମସ୍ତେ ଜାଣିଛନ୍ତି ଏଭଳି କାର୍ଯ୍ୟ ଆଇନ୍‌ ସମ୍ମତ ନୁହେଁ । ଡିଲରମାନେ କୌଣସି କାଗଜ ନେଇ ଆରଟିଓ ଅଫିସକୁ ଯାଉ ନାହାନ୍ତି । ଡିଲରମାନେ ଆରଟିଓ ଅଫିସର ଏକ ପ୍ରକାର ଛାୟା ମାଲିକ ସାଜିଥିବାବେଳେ ଆଗାମୀ ଦିନରେ ସେମାନେ ଆରଟିଓ ଅଫିସକୁ ଦଖଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।