Odia News Portal

ଦେଶରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଡ୍ରାଏ ରନ୍ ହେବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ଏହି ମକ୍ ଡ୍ରିଲ୍ ସଫଳ ହୋଇଥିବାବେଳେ ଆଜି ସାରା ଦେଶରେ ଡ୍ରାଏ ରନ୍ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସାରା ଦେଶ ଭଳି ଆଜି ଓଡିଶାରେ ମଧ୍ୟ କରୋନା ଟିକାର ଡ୍ରାଏ ରନ୍ ହେବ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ୍ ଅଭ୍ୟାସ ପାଇଁ ପ୍ରସ୍ତୁତି ସରିଛି ।

ଅର୍ଥାତ ରାଜ୍ୟର ୩୧ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ହେବ । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ବାସ୍ଥ୍ୟକର୍ମୀ ସାମିଲ ହେବେ । କେନ୍ଦ୍ରରେ ଜଣେ ଭାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍‌ ରହିବେ । କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ଟିକା ଦିଆଯିବ । ଟିକା ଦେବା ପାଇଁ ପରିଚୟପତ୍ର ଯାଞ୍ଚ ପରେ ଭାକ୍ସିନେଟରଙ୍କ ପାଖକୁ ପଠାଯିବ । ଭାକ୍ସିନ ନେବା ପରେ ୩୦ମିନିଟ ଅବଜର୍ଭେସନରେ ରହିବେ । ତେବେ ଟିକାକରଣ ପାଇଁ ପ୍ରାୟ ୨୧ ଲକ୍ଷ ସିରିଞ୍ଜ ଆସିଛି । ଟିକା ଆସିଲେ ପ୍ରଥମେ ରାଜ୍ୟ ଷ୍ଟୋର ଏବଂ ପରେ ୯ଟି ଆଞ୍ଚଳିକ ଟିକା ଷ୍ଟୋର ଓ ତା’ପରେ ୩୨ଟି ଟିକା ଷ୍ଟୋରକୁ ପଠାଯିବ ।

ସେଠାରୁ ୧ ହଜାର ୨୨୨ଟି କୋଲ୍‌ଡ ଚେନ ପଏଣ୍ଟକୁ ପଠାଯିବ । ସେଠାରୁ ଯିବ ୨୯ ହଜାର ୨୭୨ ସେସନ ସାଇଟ୍‌କୁ । ଏହାପରେ ଟିକା ଦିଆଯିବ । ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଆରମ୍ଭ ହେବ ଡ୍ରାଏରନ । ଏନେଇ ସବୁ ଭଲ୍ୟୁଣ୍ଟରଙ୍କ ନାଁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।