Odia News Portal

ରାଜ୍ୟରେ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଡ୍ରାଏ ରନ ହେବ । ଟିକାକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ହେବାକୁ ଯାଉଛି ଡ୍ରାଏ ରନ । ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ, କେମିତି ପ୍ରସ୍ତୁତ ରହିବେ ସେ ନେଇ ଆଲୋଚନା କରାଯାଇଛି । ଟିକା ଦିଆଯିବାବେଳେ ଯେପରି କୌଣସି ତ୍ରୁଟି ରହିବନି । ସେନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି ।

ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଡ୍ରାଏ ରନ୍ କରାଯିବ । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତିଜିଲ୍ଲାର ୩ଟି ସେଣ୍ଟରରେ ଏହି ଡ୍ରାଏରନ୍ ବ୍ୟବସ୍ଥା କରାଯାଇଛି । ଡ୍ରାଏରନ୍ ବେଳେ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ନିଷ୍ପତ୍ତି ନିଆଯାଇଛି । କରୋନା ଟିକା କରଣ ବେଳେ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ ।

ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ । ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସରିଛି । ତେବେ ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଦୃଷ୍ଟି ରଖିଛି ସ୍ୱାସ୍ଥ୍ୟ ବିଭାଗ । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ସାରା ଦେଶରେ କରୋନା ଟିକା ଦେବାକୁ ଥିବା ବେଳେ,ସାଧାରଣ ଲୋକ କେବେ ଟିକା ପାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର ।