Odia News Portal

ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ । ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ବୁଧବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୪।

ବଡ଼ ଧରଣର ପ୍ରଥମ ଭୂକମ୍ପନ ସଂଘଠିତ ହେବା ପରେ ପରେ ଆଉ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରବର୍ତ୍ତୀ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା ସକାଳ ପ୍ରାୟ ୭.୫୫ ସମୟରେ। ଏହାର ଅଳ୍ପ କିଛି କ୍ଷଣ ପରେ ସଂଘଠିତ ହୋଇଥିଲା ଦ୍ୱିତୀୟ କମ୍ପନ। ରିକ୍ଟର୍‌ ସ୍କେଲ୍‌ରେ ଏହି ଦୁଇଟି କମ୍ପନର ତୀବ୍ରତା ଥିଲା ଯଥାକ୍ରମେ ୪.୩ ଏବଂ ୪.୪।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିବା ଅନୁସାରେ, ରିକ୍ଟର୍‌ ସ୍କେଲ୍‌ରେ ୬.୪ ତୀବ୍ରତାସମ୍ପନ୍ନ ବୋଲି ଜଣାପଡ଼ିଥିବା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଆସମର ତେଜପୁର। ‘ସିସ୍‌ମୋଲୋଜି ସେଣ୍ଟର୍‌’ ସୂଚନାରୁ ଜଣାପଡ଼ିଛି ଯେ, ସକାଳ ୭.୫୫ରେ ଭୂମିକମ୍ପର ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ହେଉଛି ଆସାମ ଅନ୍ତର୍ଗତ ତେଜପୁର ଠାରୁ ୪୩ କିଲୋମିଟର ଦୂରବର୍ତ୍ତୀ ପଶ୍ଚିମାଞ୍ଚଳ।