Odia News Portal

ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବ୍‍’ର ଅଷ୍ଟମ ବାର୍ଷିକ ପୂର୍ତ୍ତି

ଭୁବନେଶ୍ୱର ତା. ୧୩-୦୮-୨୦୨୫ – ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବରେଟୋରି’ର ଅଷ୍ଟମ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଯୋଗଦାନ କରି ନବୀନ ଗବେଷଣାତ୍ମକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅଟଳ ଟିଙ୍କରିଂ ଲାବରେଟୋରିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମ୍ୟାନେଜର୍ ଡ. ଭାଗ୍ୟବତୀ ନାୟକ ଯୋଗଦାନ କରି ଛାତ୍ରାବସ୍ଥାରୁ ସ୍ୱପ୍ନଦର୍ଶୀ ହେବା ସହ ବୈଜ୍ଞାନିକ ଚିନ୍ତାଧାରାକୁ ଆପଣେଇ ଗବେଷଣାତ୍ମକ ମନୋଭାବ ପୋଷଣ କରିପାରିଲେ ନିଶ୍ଚିତ ଭାବେ ଭବିଷ୍ୟତରେ ସଫଳ ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିଷ୍ଠା କରିପାରିବା କଥା ପ୍ରକାଶ କରିଥିଲେ । ଏହି ସୃଜନଶୀଳ ପ୍ରୟାସକୁ ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରୋତ୍ସାହିତ କରିବାରେ ଅଟଳ ଟିଙ୍କରି ଲାବରେଟୋରି ଅଦ୍ୱିତୀୟ ଭୂମିକା ନିର୍ବାହ କରୁଥିବା କଥା ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ସମ୍ମାନିତ ବକ୍ତାଭାବେ ପ୍ରଭାତ ପଣ୍ଡା, ଶ୍ରୀମାନ୍‌ ରବିଶଙ୍କର ଦାଶ, ଦ୍ୱାରିକାନାଥ ଚୌଧୁରୀ, ଡ. ରମେଶ ଚନ୍ଦ୍ର ବିଶ୍ୱାଳ ଓ ସୁଚିସ୍ମିତା ସାହୁ ଆଦି ଯୁବ ଉଦ୍ୟୋଗୀ ତଥା ଉଦ୍ଭାବକଗଣ ଯୋଗଦେଇ ଗବେଷଣାତ୍ମକ କାର୍ଯ୍ୟରେ ମନୋନିବେଶ ପୂର୍ବକ ଆଧୁନିକ ସମାଜ ପାଇଁ ବିଜ୍ଞାନର ଅବଦାନକୁ ଲୋକଲୋଚନକୁ ଆଣିବା ଆମର ଦାୟିତ୍ୱ ବୋଲି କହିଥିଲେ । ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ବିଦ୍ୟାର୍ଥୀମାନେ ଅନୁସନ୍ଧିତ୍ସା ମନୋଭାବ ପୋଷଣ କରି , ନିଜକୁ ଜଣେ ଜଣେ ଶିଶୁ ବୈଜ୍ଞାନିକଭାବେ ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ଏବଂ ଟିଙ୍କରି ଲାବ୍‌ର ସହଯୋଗୀ ଶିକ୍ଷକ ପ୍ରିୟବ୍ରତ କରଙ୍କ ସଂରଚନାରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଗବେଷଣାଭିତ୍ତିକ ଏହି କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀମାନେ ମନଭରି ଉପଭୋଗ କରି ପ୍ରେରଣା ଲାଭ କରିଥିଲେ । ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ପରିଶେଷରେ ଇନୋଭେସନ୍ କ୍ଲବର ଛାତ୍ର ସମ୍ପାଦିକା ଏସ୍‌.କେ ପ୍ରତ୍ୟୁଷ୍ନା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ  ଅର୍ପଣ କରିଥିଲେ ।