Odia News Portal

ଶାନ୍ତିଶୃଙ୍ଖଳାର ସହ ଦୁଇ ଏନ୍‌ଏସି ନିର୍ବାଚନ ଶେଷ; ହିନ୍ଦୋଳରେ ୮୮%, ଅତାବିରାରେ ୭୪% ମତଦାନ

ଓଡ଼ିଶାର ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ଶାନ୍ତିଶୃଙ୍ଖଳାର ସହ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଏନ୍‌ଏସିରେ ୮୮% ଏବଂ ଅତାବିରା ଏନ୍‌ଏସିରେ ୭୪% ମତଦାନ ହୋଇଛି । ସୋମବାର ଗଣମାଧ୍ୟମକୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରଦାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉକ୍ତ ଦୁଇଗୋଟି ଏନ୍‌ଏସିର ସମୁଦାୟ ୨୮ ଗୋଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ଅତାବିରା ଏନ୍‌ଏସିର ୧୨ ଗୋଟି ୱାର୍ଡର କାଉନ୍‌ସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି । ସେହିପରି ହିନ୍ଦୋଳ ଏନ୍‌ଏସିର ୧୬ ଗୋଟି ୱାର୍ଡର କାଉନ୍‌ସିଲର ପଦବୀ ନିମନ୍ତେ ସମୁଦାୟ ୫୦ ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ସକାଳ ୮ଟାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଉଭୟ ଏନ୍‌ଏସିରେ ମତଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ହିନ୍ଦୋଳ ଏନ୍‌ଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ଅତାବିରା ଏନ୍‌ଏସିରେ ୭୪ ପ୍ରତିଶତ ମତଦାନ ହୋଇଛି ।