Odia News Portal

ପଞ୍ଚାୟତ ଉପନିର୍ବାଚନ: ୧୧ରେ ଗଣତି

ଶାନ୍ତିଶୃଙ୍ଖଳାର ସହ ଓଡ଼ିଶାର ଶେଷହୋଇଛି ପଞ୍ଚାୟତ ଉପନିର୍ବାଚନ । ଏକସଙ୍ଗେ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୬୪ ୱାର୍ଡମେମ୍ବର, ୯ ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ହୋଇଛି । ଏହି ସବୁ ଆସନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ, ଇସ୍ତଫା, ଅଯୋଗ୍ୟତା କାରଣରୁ ଖାଲିପଡ଼ିଥିଲା । ଆସନ୍ତା ୧୧ତାରିଖରେ ଭୋଟ୍‌ଗଣତି ହେବା ସହ ଫଳାଫଳ ଘୋଷଣା ହେବ ।  ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ଉପନିର୍ବାଚନ ପାଇଁ ସ୍ଥାନୀୟ ପ୍ରଶାସନ ଜରିଆରେ ଆଗୁଆ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଲିଂ ଅଧିକାରୀମାନେ ଇଭିଏମ୍ ସହ ବୁଥ୍‌ରେ ଗୋଟିଏ ଦିନ ପୂର୍ବରୁ ପହଞ୍ଚିଥିଲେ ।

ଯାଜପୁର ଜିଲ୍ଲା ଧର୍ମଶାଳାରେ ୧୫ ନଂ. ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହେବା ସହ କଟକର ଡମପଡ଼ା, ଶରଧାପୁର, ଗଞ୍ଜାମର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମ୍ବଦା, ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦପାଇଁ ମତଦାନ ହୋଇଛି । ସେହିପରି ବଲାଙ୍ଗିରର ଗୋଟିଏ ୱାର୍ଡ, ବାଲେଶ୍ୱରର ୨ଟି, ବରଗଡ଼ର ୫ଟି, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର ୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି, ସୁବର୍ଣ୍ଣପୁରର ଗୋଟିଏ ୱାର୍ଡରେ ୱାର୍ଡମେମ୍ବର ଏବଂ ୮ଜିଲ୍ଲାରେ ୯ ପଞ୍ଚାୟତ ସମିତି ସଭ୍ୟ ପାଇଁ ମତଦାନ ହୋଇଛି । ଭୋଟରମାନେ ଧାର୍ଯ୍ୟ ସମୟ ଭିତରେ ଭୋଟ୍ ଦେଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ୬ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ୱାର୍ଡରେ ସଂରକ୍ଷିତ ପ୍ରାର୍ଥୀ ନମିଳିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ନିର୍ବାଚନ ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ଏହାକୁ ଅଣସଂରକ୍ଷିତ କରାଯିବା ପରେ କାଲି ମତଦାନ ହୋଇଛି ।