ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ହାତୀ ଆତଙ୍କ । ବିଲରେ ଦଳି ଚକଟି ଫସଲ ନଷ୍ଟ କରୁଛନ୍ତି ହାତୀପଲ। ନାକେଦମ ବନବିଭାଗ । ବଙ୍ଗୋମୁଣ୍ଡା ରେଞ୍ଜ ଓ ତୁରେକେଲା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରେ ଗତ କିଛି ଦିନ ହେବ ୩୦ ଟିକିଆ ହାତୀପଲ ଘୁରି ବୁଲୁଛନ୍ତି । ବିଲ ଗୁଡ଼ିକରେ ପଶି ଚାଷୀଙ୍କ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀଙ୍କ ଉପରେ ନଜର ରଖିଛି ବନବିଭାଗ ।ଡାକବାଜି ମାଧ୍ୟମରେ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରାଯାଉଛି । ନୂଆପଡା ଜିଲ୍ଲା ତିଖାଲି ଅଞ୍ଚଳରୁ ବଲାଙ୍ଗିର ଜିଲ୍ଲାକୁ ପ୍ରବେଶ କରିଛନ୍ତି ଏହି ହାତୀପଲ । ବର୍ତ୍ତମାନ ହାତୀ ବଙ୍ଗୋମୁଣ୍ଡା ରେଞ୍ଜର ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲ ଭିତରେ ରହିଛନ୍ତି । ବନ ବିଭାଗ ଡ୍ରୋନ ସାହାର୍ଯ୍ୟରେ ହାତୀଙ୍କ ଗତି ବିଧି ଉପରେ ନଜର ରଖିଛି । କ୍ଷତିଗ୍ରସ୍ତ ଚାଷୀ ଅନଲାଇନରେ ଆବେଦନ କଲେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ବଲାଙ୍ଗିର ଏସିଏଫ ମରାରୀ ପଣ୍ଡା କହିଛନ୍ତି ।
