ସରଣ୍ଡାରେ ସୁରକ୍ଷାବାହିନୀର ଏନ୍କାଉଣ୍ଟର: କୁଖ୍ୟାତ ମାଓ ନେତା ଅମିତ ହାଁସଦା ନିହତ By Swadhikar News Last updated Sep 8, 2025 ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ପୁଣି ଥରେ ଗୁଳିବର୍ଷା ହୋଇଛି। ରବିବାର ସକାଳେ ସୁରକ୍ଷା ବାହିନୀ ଗୁଳିରେ କୁଖ୍ୟାତ ମାଓବାଦୀ ନେତା ତଥା ଜୋନାଲ୍ କମିଟି ସଦସ୍ୟ ଅମିତ ହାଁସଦା ଓରଫ୍ ଆପ୍ତାନର ମୃତ୍ୟୁ ହୋଇଛି। ଆପ୍ତାନ ନାଁରେ ୨୦୧୪ରେ ଚାଇବାସା ଜେଲ ଭାଙ୍ଗିବା, ଏକ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କୁ ହତ୍ୟା ଓ ମାଓବାଦୀଙ୍କୁ ଖସିଯିବାରେ ସାହାଯ୍ୟ କରିବା ଆଦି ସଙ୍ଗିନ ଅଭିଯୋଗ ରହିଥିବାବେଳେ ତା’ ମୁଣ୍ଡରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଗୁପ୍ତ ସୂଚନାକୁ ଆଧାର କରି ଚାଇବାସା ପୁଲିସ ଓ ସିଆର୍ପିଏଫ୍ କୋବ୍ରା ୨୦୯ ବାଟାଲିୟନର ମିଳିତ ଦଳ ସରଣ୍ଡାର ଗୋଏଲକେରା ଥାନା ଅଞ୍ଚଳର ରେଲାପାରାଲ ଜଙ୍ଗଲ ଓ ପାହାଡ଼ି ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲା। ରବିବାର ଭୋର୍ ପ୍ରାୟ ୫:୪୫ ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଆପ୍ତାନ ନିହତ ହୋଇଥିବାବେଳେ ତାର ଅନ୍ୟ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ଗୋଟିଏ ଏସ୍ଏଲ୍ଆର୍ ରାଇଫଲ୍, କାଟ୍ରିଜ୍ ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଛି। ମୃତ ଆପ୍ତାନ ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାର ବାସିନ୍ଦା ବୋଲି ପୁଲିସ ଅଧୀକ୍ଷକ ରାକେଶ ରଞ୍ଜନ କହିଛନ୍ତି। ଆପ୍ତାନର ଆପରାଧିକ ରେକର୍ଡ ଲମ୍ବା ଓ ଭୟଙ୍କର। ସେ ପଶ୍ଚିମ ସିଂହଭୂମ ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ୯୬ରୁ ଅଧିକ ମାଓ ହିଂସା ଘଟାଇଛି। ସରାଇକେଲାର କୁକଡୁରେ ୫ ପୁଲିସ କର୍ମଚାରୀଙ୍କୁ ହତ୍ୟା, ଗୋଏଲକେରାରେ ପୂର୍ବତନ ବିଧାୟକ ଗୁରୁଚରଣ ନାୟକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ଦୁଇ ଜଣ ଯବାନଙ୍କୁ ହତ୍ୟା, ୨୦୧୪ର ଚର୍ଚ୍ଚିତ ଚାଇବସା ଜେଲ୍ ଭାଙ୍ଗିବା ତଥା ଅନ୍ୟାନ୍ୟ ବହୁ ଘଟଣାରେ ସମ୍ପୃକ୍ତ ଥିଲା। ପୁଲିସ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲା। ଝାଡ଼ଖଣ୍ଡ ପୁଲିସ ଏହାକୁ ଏକ ବଡ଼ ସଫଳତା ବୋଲି କହିଛି। ଅଧିକାରୀମାନେ କହିଛନ୍ତି ଯେ ମିସିର ବେସରା, ଅନମୋଲ, ମୋଛୁ, ଅନୀଲ, ଅସୀମ ମଣ୍ଡଳ, ଅଜୟ ମାହାତୋ ଭଳି ଶୀର୍ଷ ମାଓନେତା ଏବେ ବି ସରଣ୍ଡା ଓ କୋଲହାନ୍ ଅଞ୍ଚଳରେ ସେମାନଙ୍କର ସ୍କ୍ୱାଡ୍ ସହିତ ସକ୍ରିୟ ଅଛନ୍ତି। ଚାଇବାସା ପୁଲିସ ସ୍ପଷ୍ଟ କରିଛି ଯେ ଅପରେସନ୍ ଏବେ ବି ଚାଲିଛି ଏବଂ ଅନ୍ୟ ମାଓବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି। swadhikarswadhikar news Share