Odia News Portal

କୋଲକାତା ବିମାନବନ୍ଦରରୁ ୧.୫୩ କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ କଲା ଇଡି

 କୋଲକାତା ବିମାନବନ୍ଦରରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରାୟ ଦୁଇ ଲକ୍ଷ ଡଲାର ଏବଂ ୟୁରୋ ଜବତ କରିଛି। ଜବତ ହୋଇଥିବା ବିଦେଶୀ ମୁଦ୍ରାର ମୂଲ୍ୟ ୧.୫୩ କୋଟି ଟଙ୍କା। ଇଡି ଏକ ବିବୃତ୍ତିରେ କହିଛି ଯେ ବିମାନ ବନ୍ଦରରୁ ୧୬୫,୦୦୦ ଆମେରିକୀୟ ଡଲାର ଏବଂ, ୪,୩୦,୪୬୦ ୟୁରୋ ଜବତ କରିଛି।

କୋଲକାତାର ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁତୟନ କଷ୍ଟମ ଅଧିକାରୀମାନେ ଇଡିଙ୍କୁ କହିଛନ୍ତି ଯେ ସେମାନେ ମେ ୨୧ରେ ଜଣେ ଯାତ୍ରୀଙ୍କଠାରୁ ବିଦେଶୀ ମୁଦ୍ରା ଉଦ୍ଧାର କରିଥିଲେ। ଏହା ପରେ ଇଡି ଏହାକୁ ଜବତ କରିଥିଲା |

ଇଡି କହିଛି ଯେ ଏହି ଯାତ୍ରୀ ଉତ୍ତରପ୍ରଦେଶର ଗୋରଖପୁରରୁ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ କୋଲକାତାରେ ପହଞ୍ଚିଥିଲେ। ଏହି ଯାତ୍ରୀଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

ସେ କହିଛନ୍ତି ଯେ ଯାତ୍ରୀ ଜଣକ ବିନା କାଗଜପତ୍ରରେ ଏତେ ପରିମାଣର ବିଦେଶୀ ମୁଦ୍ରା କେଉଁଠାରୁ ଆଣିଲେ ଏବଂ ଏହି ମୁଦ୍ରା ସହ ଯାତ୍ରା କରିବାର ଉଦ୍ଦେଶ୍ୟ କଣ ପଚରାଯିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ଇଡି ଫେମା ଆଇନ ଅନୁଯାୟୀ ବିଦେଶୀ ମୁଦ୍ରା ଜବତ କରିଥିଲା । ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।