Odia News Portal

ଶ୍ରୀଲଙ୍କାକୁ ହରାଇ ସେମିରେ ଇଂଲଣ୍ଡ

 ଟି-୨୦ ବିଶ୍ୱକପ୍‌ରେ ଶନିବାର ଏଠାରେ ଖେଳାଯାଇଥିବା ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି । ଇଂଲଣ୍ଡର ଏହି ବିଜୟ ସହ ଗତଥର ବିଜେତା ତଥା ଆୟୋଜକ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୪୧ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଓପନର ପାଥୁମ ନିଶଙ୍କା ସର୍ବାଧିକ ୬୭ ରନ୍ କରିଥିଲେ । ଇଂଲଣ୍ଡ ତରଫରୁ ମାର୍କ ଉଡ୍ ୩ଟି ଓ୍ବିକେଟ୍ ନେଇଥିଲେ । ୧୪୨ ରନ୍ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଆଲେକ୍ସ ହେଲ୍ପ ୪୭, କ୍ୟାପଟେନ ଜୋସ ବଟଲର ୨୮ ରନ୍ କରିଥିବା ବେଳେ ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ୪୨ ରନ୍ କରି ଅପରାଜିତ ରହିଥିଲେ ।

ଶ୍ରୀଲଙ୍କାର ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ଯଦି ଶ୍ରୀଲଙ୍କାର ଏହି ମ୍ୟାଚ୍ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥାନ୍ତା । ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ୭ ପଏଣ୍ଟ ସହ ସୁପର ୧୨ ଅଭିଯାନ ଶେଷ କରିଥିଲେ । ତେବେ ଅଷ୍ଟ୍ରେଲିଆ (-୦.୧୭୩) ଅପେକ୍ଷା ଉନ୍ନତ ରନ୍ ରେଟ୍ ବଳରେ ଇଂଲଣ୍ଡ (+୦.୪୭୩) ସେମିଫାଇନାଲରେ ପାଇଁ ଯୋଗ୍ୟତା ହାସଲ କରିଛି ।