କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମେ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ଇପିଏଫଓର ସମନ୍ୱିତ ପୋର୍ଟାଲରେ ଆବେଦନ କରିବାକୁ ହେବ। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ମାର୍ଚ୍ଚ ୩ ଥିଲା । କିନ୍ତୁ ନିକଟରେ ଇପିଏଫ୍ଓର ଇଣ୍ଟିଗ୍ରେଟେଡ୍ ମେମ୍ବର ପୋର୍ଟାଲରେ ସକ୍ରିୟ ହୋଇଥିବା ୟୁଆରଏଲ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଅଧିକ ପେନସନ୍ ବାଛିବାର ଶେଷ ତାରିଖ ହେଉଛି ମେ ୩, ୨୦୨୩ ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୨୨ରେ ତାଙ୍କ ଆଦେଶରେ କହିଥିଲେ ଯେ ଇପିଏଫଓକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଅଧିକ ପେନସନ ବିକଳ୍ପ ବାଛିବା ପାଇଁ ଚାରି ମାସ ସମୟ ଦେବାକୁ ହେବ । ୪ ମାସର ଅବଧି ୨୦୨୩ ମାର୍ଚ୍ଚ ୩ରେ ଶେଷ ହେଉଥିଲା । ଏହି କାରଣରୁ ଏହାର ଶେଷ ସମୟ ସୀମା ୨୦୨୩ ମାର୍ଚ୍ଚ ୩ ବୋଲି ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ତାହାକୁ ଆଉ ୨ ମାସ ପାଇଁ ବଢାଇଦିଆଯାଇଛି ।
୨୦୨୨ ନଭେମ୍ବରରେ ସୁପ୍ରିମ୍ କୋର୍ଟ କର୍ମଚାରୀ ପେନସନ୍ ଯୋଜନା( ଇପିଏସ)- ୨୦୧୪କୁ ବଜାୟ ରଖିଥିଲେ। ଏହା ପୂର୍ବରୁ ଇପିଏସରେ ପେନସନ୍ ଯୋଗ୍ୟ ବେତନ ସୀମାକୁ ମାସିକ ୬୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ସହିତ ସଦସ୍ୟ ଏବଂ ସେମାନଙ୍କ ନିଯୁକ୍ତିଦାତାଙ୍କୁ ସେମାନଙ୍କ ପ୍ରକୃତ ଦରମାର ୮.୩୩ ପ୍ରତିଶତ ଇପିଏସ୍ କୁ ଦାନ କରିବାକୁ ଅନୁମତି ଦିଆଯାଇଥିଲା ।