ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଝରିଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଏହି ବ୍ଲକର ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ କରିଥାନ୍ତି। ଏଥି ମଧ୍ୟରୁ ଦିଆଲି ପର୍ବ ଅନ୍ୟତମ। ଜମିରୁ ଫସଲ ଅମଳ ହେବା ପରେ ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ। ବ୍ଳକର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଏହି ପର୍ବ ପାଳନ କରାଯାଏ। ଜମିର ଫସଲ ସମ୍ପୂର୍ଣ୍ଣ ଅମଳ ହେବା ପରେ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ହୋଇଥାଏ। ଏହି ନିଦ୍ଦିଷ୍ଟ ଗ୍ରାମରେ କେବେ ଦିଆଲି ପର୍ବ ପାଳନ ହେବ ସେନେଇ ବୈଠକରେ ଦିନ ଧାର୍ଯ୍ୟ ହୋଇଥାଏ। ପରେ ଚଲାଣ ଦ୍ୱାରା ଏ ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ। ବିଶେଷ କରି ଏହି ପର୍ବ ପ୍ରତିବର୍ଷ ଜମିରୁ ଫସଲ ଅମଳ ହେବା ପରେ ମାର୍ଗଶିର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇ ପ୍ରାୟ ପୌଷ ମାସ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ। ଦିଆଳି ପର୍ବ ଦିନ ଜମିରୁ ଅମଳ ହୋଇଥିବା ନୂଆ ଧାନର ଚାଉଳରେ ପ୍ରଥମେ ଖିରି ତିଆରି କରିଥାନ୍ତି। ସେହିପରି ବିଭିନ୍ନ ରକମର ପିଠା ତିଆରି କରନ୍ତି। ଉକ୍ତ ଖିରି ଓ ବିଭିନ୍ନ ପିଠାକୁ ପ୍ରଥମେ ଘରର ଇଷ୍ଟ ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରିବା ପରେ ପରିବାର ଲୋକ ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତି। ଖେଚୁଡ଼ି ତିଆରି କରି ସେଥିରେ ବିଭିନ୍ନ ପିଠା ପକାଇ ଗାଈଗୋରୁଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ସେଥିରୁ ପରିବାର ଲୋକ ଆନନ୍ଦରେ ଖାଇଥାନ୍ତି। ଦିଆଲି ପର୍ବ ପାଳନ ଶେଷ ହେବା ପରେ ଗାଈଗୋରୁଙ୍କୁ ଗୁହାଳରେ ନବାନ୍ଧି ମୁକ୍ତ କରି ଦିଆଯାଇଥାଏ। ସେହିପରି ଦିଆଲି ପର୍ବ ଦିନ ନିଜ ସମ୍ପର୍କୀୟମାନଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥାଏ। ବ୍ଲକର କିଛି ଗ୍ରାମରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ଓ ଗ୍ରାମର ଯୁବକଯୁବତୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାନ୍ତି। ଦିଆଲି ପର୍ବକୁ ଲୋକେ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି।
