ନୟାଗଡ଼ ଦଶପଲ୍ଲା ଟାକେରା ନିକଟରେ ମର୍ମନ୍ତୁଦ ବସ ଦୁର୍ଘଟଣା, 5 ମୃତ, 30ରୁ ଅଧିକ ଗୁରୁତର By Swadhikar News Last updated Mar 28, 2026 ବଡ଼ି ଭୋରରୁ ଭୟଙ୍କର ଦୁର୍ଘଟଣା ଘଟିଛି । 55 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଓଲଟି ପଡ଼ିବାରୁ 5 ଜଣଙ୍କ ମୃତ୍ଯୁ ହୋଇଛି । ସେହିପରି 40ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 15 ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଆହତମାନଙ୍କ ମଧ୍ୟରୁ 5 ଜଣଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ନିକଟରେ ପିଠାଖାଇ ଘାଟି ଅତିକ୍ରମ କରିବା ବେଳେ “ମା ସିଂଘେଶ୍ୱରୀ” ନାମକ ଘରୋଇ ଟୁରିଷ୍ଟ ବସ୍ଟି ଓଲଟି ପଡିଥିଲା । ବସ୍ଟି ବ୍ରହ୍ମପୁରରୁ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ହରିଶଙ୍କର ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ 55 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଓ ନୃସିଂହନାଥ ଦର୍ଶନ ପାଇଁ ଯାଉଥିଲା । ଶୁକ୍ରବାର ସନ୍ଧ୍ୟା 7ଟାରେ ବ୍ରହ୍ମପୁରରୁ ବସ ଛାଡିଥିଲା । ଦଶପଲ୍ଲାରେ ଖାଇସାରି ରାତି ସାଢେ 1ଟାରୁ 2ଟା ମଧ୍ୟରେ ପିଠାଖାଇ ଘାଟି ଅତିକ୍ରମ ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ଫାୟାର ସର୍ଭିସ ଓ 108 ଆମ୍ବୁଲାନ୍ସ ଟିମ୍ ମିଶି ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ପଠାଇଥିଲେ ।ମୃତଦେହଗୁଡ଼ିକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଇଥିବା ଅଭିଯୋଗ ଉଠିଛି, ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।ଜଣେ ଆହତ ଯାତ୍ରୀ କହିଛନ୍ତି, “ଆମେ ବ୍ରହ୍ମପୁରରୁ ବାହାରି ବଲାଙ୍ଗୀର ହରିଶଙ୍କର ମନ୍ଦିର ଦର୍ଶନ ପାଇଁ ଯାଉଥିଲୁ । ବାଟରେ ବୁଲାଣିରେ ଓଭର ଟେକ୍ କରିବା ବେଳେ ବସ୍ ଓଲଟି ପଡ଼ିଥିଲା । ଏଥିରେ ମୋ ବାପା ଓ ମାଆଙ୍କ ମୃତ୍ୟୁ ହୋଇଛି ।” swadhikarswadhikar news Share