Odia News Portal

ତୃତୀୟ ସ୍ତ୍ରୀ ସହ ମିଶି ପ୍ରଥମ ସ୍ତ୍ରୀର ପୁଅକୁ ମାରିଲା ବାପା

ମୟୂରଭଞ୍ଜ: ନୃଂଶସ ବାପାର ଉନ୍ମୁକ୍ତକାଣ୍ଡ । ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଫେରାର ହୋଇଯାଇଛି । ଏହି ଘଟଣାରେ ସାବତ ମାର ମଧ୍ୟ ସମ୍ପୃକ୍ତି ରହିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନରଣଖୁଣ୍ଟା ଗାଁରେ ଘଟିଛି ଏଭଳି ହତ୍ୟାକଣ୍ଡ । ମୃତକ ହେଲେ ପ୍ରମୋଦ ସିଂ । ଅଭିଯୁକ୍ତ ବାପା ଅନୀଲ ଏବଂ ତାଙ୍କ ତୃତୀୟ ସ୍ତ୍ରୀ ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି । ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।

ସୂଚନା ଅନୁଯାୟୀ, ନରଣଖୁଣ୍ଟା ଗ୍ରାମର ଅନୀଲ ପ୍ରଥମେ ସରସ୍ୱତୀ ସିଂଙ୍କୁ ବିବାହ କରିଥିଲେ । ସରସ୍ୱତୀ ଓ ଅନୀଲଙ୍କ ଔରଷରୁ ପ୍ରମୋଦ ଜନ୍ମ ନେଇଥିଲା । ଏହାପରେ ଅନୀଲ ଦ୍ୱିତୀୟ ଓ ପରବର୍ତ୍ତୀ ସମୟରେ ତୃତୀୟ ବିବାହ କରିଥିଲେ । ଏହି ସମୟରେ ଦ୍ୱିତୀୟ ସ୍ତ୍ରୀ ଅନୀଲକୁ ଛାଡ଼ି ପଳାଇଯାଇଥିବାବେଳେ ପ୍ରଥମ ସ୍ତ୍ରୀ ସରସ୍ୱତୀ ତା’ର ପୁଅ ପ୍ରମୋଦ ସିଂ(୨୬)କୁ ଧରି ଚକାପୁରସ୍ଥିତ ନିଜ ବାପ ଘରକୁ ଚାଲିଯାଇଥିଲା । ଗ୍ରାମରେ ଅନୀଲ ତୃତୀୟ ସ୍ତ୍ରୀ ସହିତ ରହୁଥିଲା ।

ପ୍ରଥମ ସ୍ତ୍ରୀ ସରସ୍ୱତୀଙ୍କ ପୁଅ ପ୍ରମୋଦ ବାରିପଦାର ଜନୈକ ମାର୍ବଲ ମିସ୍ତ୍ରୀଙ୍କ ନିକଟରେ କାମ କରେ । ଏହି ସମୟରେ ପ୍ରମୋଦ ଗତକାଲି ମାମୁଁଘର ଚକାପୁର ଗ୍ରାମକୁ ଯାଇଥିଲା ଏବଂ ଆଜି ବାପ ସହିତ ଦେଖା କରିବାକୁ ନରଣଖୁଣ୍ଟା ଗ୍ରାମକୁ ଯାଇଥିବା ବେଳେ ପୂର୍ବତିକ୍ତତାକୁ କେନ୍ଦ୍ରକରି ବାପ ଅନୀଲ ଓ ସାବତ ମା’ ମିଶି ଫାର୍ସାରେ ପ୍ରମୋଦକୁ ହତ୍ୟା କରି ଫେରାର ହୋଇଯାଇଥିଲେ । ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ଘଟଣାରେ ବ୍ୟବହୃତ ରକ୍ତ ଲାଗିଥିବା ଫାର୍ସାକୁ ପୁଲିସ ଜବତ କରିଛି ।