ଶନିବାର ଛୁଟି ଦିନ ଥିବା ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀମନ୍ଦିର ନାଟ ମଣ୍ଡପ ଭିତରେ ଜଣେ ମହିଳା ଶ୍ରଦ୍ଧାଳୁ ଅଣନିଶ୍ବାସୀ ହୋଇ ଅଚେତ ହୋଇ ପଡ଼ିଥିଲେ। ମହିଳା ଜଣକ ହେଲେ ରାଜସ୍ଥାନର ବର୍ଷା ଗୁପ୍ତା(୪୨)ବୋଲି ସୂଚନା ମିଳିଛି। ତାଙ୍କୁ ତୁରନ୍ତ ପରିବାର ଲୋକେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ,ବର୍ଷା ତାଙ୍କ ସପରିବାର ରାଜସ୍ଥାନରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ଆସିଥିଲେ। ହେଲେ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରି ନାଟ ମଣ୍ଡପରେ ଛିଡ଼ା ହୋଇଥିବା ବେଳେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଶ୍ବାସୀ ହୋଇ ହଠାତ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ବାହାରକୁ ଆଣିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ହୃତଘାତରେ ସେ ପ୍ରାଣ ହରାଇଥିବା ଡାକ୍ତର ସୂଚନା ଦେଇଥିବା ବେଳେ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି।
