୨୦୨୬-୨୭ ଆର୍ଥିକ ବର୍ଷ: ବଜେଟ୍ ଆଜି By Swadhikar News Last updated Feb 20, 2026 ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ପେଡ଼ିରେ କ’ଣ ରହିଛି ତାହା ଜାଣିବାକୁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ପୂର୍ବ ବଜେଟ୍କୁ ଦେଖିଲେ ଏଥର ମଧ୍ୟ ଶ୍ରୀ ମାଝୀ ଏକ ସନ୍ତୁଳିତ ବଜେଟ୍ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସେ ୨,୯୦,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ବଜେଟ୍ ପରିମାଣ ୩ ଲକ୍ଷ ୧୦ ହଜାର କୋଟି ପାଖାପାଖି ଛୁଇଁପାରେ।ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ଚଳିତବର୍ଷ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ପରିମାଣ କମିବ। ତେଣୁ କେଉଁ ମାଧ୍ୟମରେ ସରକାର ସେହି ଅଭାବକୁ ଭରଣା କରିବେ ତାହା ଲକ୍ଷ୍ୟ କରିବାର କଥା। କେବଳ ସେତିକି ନୁହେଁ, ପୁଞ୍ଜି ବ୍ୟୟ ଓ ଋଣ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ। ପୁଞ୍ଜି ବ୍ୟୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନରେ ରହିଛି। ଗତ ଆର୍ଥିକ ବର୍ଷରେ ୬୫,୦୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଘୋଷଣା କରାଯାଇଥିଲା, ଯାହା ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୬.୧୧ ପ୍ରତିଶତ ରହିଥିଲା। ଏଥର ବଜେଟ୍ରେ ସରକାର ସେଥିରେ ବଡ଼ଧରଣର ବୃଦ୍ଧି କରିପାରନ୍ତି। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଋଣ। ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇଥିଲେ ହେଁ ବ୍ୟୟଭାର ବହନ କରିବାକୁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ଋଣ କରୁଛନ୍ତି। ୨୦୨୩-୨୪ରେ ସରକାର ୯୬,୩୧୦ କୋଟି ଟଙ୍କାର ଋଣ କରିବାକୁ ବଜେଟ୍ରେ ଘୋଷଣା କରିଥିଲେ। ବର୍ଷକ ପରେ ଋଣ ପରିମାଣ ୧,୩୪,୯୧୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୬-୨୭ରେ ଋଣ ଯଥେଷ୍ଟ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଓଡ଼ିଶା ସରକାର ସର୍ବଦା ବିତ୍ତୀୟ ଶୃଙ୍ଖଳା ଓ ବଜେଟ୍ ପରିଚାଳନା (ଏଫ୍ଆର୍ବିଏମ୍) ନିୟମ ପାଳନକୁ ଗୁରୁତ୍ବ ଦେଉଥିବାରୁ କେବେ ବି ଋଣ ପରିମାଣକୁ ଜିଏସ୍ଡିପିର ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଦେବେ ନାହିଁ ବୋଲି ଅର୍ଥନୀତି ସମୀକ୍ଷକମାନେ ମତ ରଖୁଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ବ ବଳକା ଜିଏସ୍ଡିପିର ୩ ପ୍ରତିଶତ ଓ ବିତ୍ତୀୟ ନିଅଣ୍ଟ ୩.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଥିଲା। ଏଥର ସରକାର ସେହି ଧାରାକୁ ବଜାୟ ରଖିବେ କିମ୍ବା ସେଥିରେ ଉନ୍ନତି ଆଣିବାକୁ ବଜେଟ୍ରେ ପଦକ୍ଷେପ ଘୋଷଣା କରିପାରନ୍ତି। ପ୍ରତିଥର ଭଳି କିଛି ନୂଆ ଯୋଜନା ଘୋଷଣା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରମୁଖ ଯୋଜନା ଯଥା ସୁଭଦ୍ରା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସ୍ବଚ୍ଛ ଓଡ଼ିଶା, ଓଡ଼ିଶା ଏଆଇ ମିସନ୍, ସମୃଦ୍ଧ କୃଷକ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଆବାସ ଯୋଜନା ପାଇଁ ବ୍ୟୟବରାଦ କିଭଳି ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। swadhikarswadhikar news Share