Odia News Portal

ଚାହୁଁ ଚାହୁଁ ଜଳିଗଲା ୩ ମହଲା ଦୋକାନ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ କଲମପୁର ଛକ ନିକଟରେ ଥିବା A to Z ସପିଙ୍ଗ ମହଲରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ପୋଡି ଗଲା ତିନି ମହଲା ବିଶିଷ୍ଟ ସପିଙ୍ଗ ମହଲ । ଆନୁମାନିକ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଖାଉଟି ସାମଗ୍ରୀ ଯଥା-ତେଲ , ଡାଲି , ଚାଉଳ , ଫ୍ଯାନ୍ସି ସାମଗ୍ରୀ ଖେଳନା ,ସୁଟକେସ , ବ୍ୟାଗ ସହ ବହୁ ଘରକରଣ ସାମଗ୍ରୀ ଆଦି ବହୁ ଜିନିଷ ପୋଡି ନଷ୍ଟ ହୋଇଯାଇଛି ।

ପ୍ରାୟ ରାତି ୮ଘଣ୍ଟା ୩୦ ମିନିଟ ସମୟରେ ସପିଙ୍ଗ ମଲ୍ ମାଲିକ ମଲ୍ ବନ୍ଦ କରି ଘରକୁ ଆସିବାର କିଛି ସମୟ ପରେ ସପିଙ୍ଗ ମଲ୍ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସପିଙ୍ଗ ମଲ୍ ମାଲିକ ଆରୁଣ କୁମାର ଅଗ୍ରୱାଲଙ୍କୁ ଫୋନ କରିଥିଲେ। ଖବର ପାଇ ମାଲିକ ତୁରନ୍ତ ପହଁଚି ସପିଙ୍ଗ ମଲକ ଭିତରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ।

ଏହାପରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା। ପ୍ରାୟ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହେଲା  ଅଗ୍ନିଶମ ବିଭାଗ , କିନ୍ତୁ ସେତେବେଳକୁ ସପିଙ୍ଗ ମଲ୍ ସମ୍ପୂର୍ଣ୍ଣ ପୋଡିଯାଇ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨କୋଟି ରୁ ଉର୍ଦ୍ଧ୍ବ ହୋଇଥିବା ଅନୁମାନ କରାଯାଉଛି । ଏଭଳି ଅଗ୍ନିକାଣ୍ଡ ଜୁନାଗଡ଼ରେ ପ୍ରଥମ ହୋଇଥିବା ବେଳେ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।