Odia News Portal

ପ୍ରଥମ ସ୍ବଦେଶୀ ଚିପ୍ ‘ବିକ୍ରମ’ ଇସ୍ରୋ ମିସନ୍‌ରେ ବ୍ୟବହାର ହେବ

ସେମିକଣ୍ଡକ୍ଟର‌୍‌ ‌କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଏକ ବଡ଼ ଲମ୍ଫ ପ୍ରଦାନ କରିଛି। ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାଇକ୍ରୋ ପ୍ରୋସେସର୍‌ ଚିପ୍ ‘ବିକ୍ରମ’କୁ ଉନ୍ମୋଚନ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ଚିପ୍‌କୁ ବିକାଶ କରିଛି। ତାହାକୁ ମହାକାଶ ମିସନ୍‌ରେ ବ୍ୟବହାର କରିବାକୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଚିପ୍‌କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଭାରତକୁ ଏକ ‘ମୃତ ଅର୍ଥନୀତି’ ଆଖ୍ୟା ଦେଇଥିବା ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୋକ୍ଷରେ କଡ଼ା ଜବାବ ଦେଇଛନ୍ତି। ନିଜ ଅଭିଭାଷଣରେ ସେ କହିଥିଲେ ଯେ ଆର୍ଥିକ ସ୍ବାର୍ଥ (ଆମେରିକାକୁ ଟାର୍ଗେଟ୍‌ କରି) ପାଇଁ ସାରା ଦୁନିଆରେ ଆହ୍ବାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି। ଏହା ସତ୍ତ୍ବେ ଭାରତୀୟ ଅର୍ଥନୀତି ୭.୮ ପ୍ରତିଶତର ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ବିନିର୍ମାଣ, ସେବା, କୃଷି ଓ ନିର୍ମାଣ ଭଳି କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ପାଇଁ ଏହା ସମ୍ଭବ ହୋଇଥିବା ସେ କହିଛନ୍ତି। ସେ କହିଥିଲେ ଯେ ଭାରତ ଉପରେ ସାରା ଦୁନିଆର ଭରସା ଅଛି। ଭାରତ ଏବେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର୍‌ ‌ରାଷ୍ଟ୍ରରେ ପରିଣତ ହେବା ପଥରେ ରହିଛି। ସେହିଦିନ ଦୂର ନୁହେଁ ଯେତେବେଳେ ସାରା ବିଶ୍ବ କହିବ ଭାରତରେ ଡିଜାଇନ୍‌, ଭାରତରେ ତିଆରି ସେମିକଣ୍ଡକ୍ଟର୍‌ ବିଶ୍ବସ୍ତରୀୟ ମାନର ବୋଲି ମୋଦୀ କହିଥିଲେ। ପୂର୍ବରୁ ତେଲକୁ କଳା ସୁନା କୁହାଯାଉଥିଲା। କିନ୍ତୁ ଏବେ ଚିପ୍‌ ହେଉଛି ଡିଜିଟାଲ୍‌ ହୀରା ବୋଲି ସେ କହିଥିଲେ। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହାକୁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଭାରତର ସେମିକଣ୍ଡକ୍ଟର୍‌ ଉତ୍ପାଦନ ଖର୍ଚ୍ଚ ଦୃଷ୍ଟିରୁ ୧୫-୩୦ ପ୍ରତିଶତ ଅଧିକ ମିତବ୍ୟୟୀ ରହିଛି। ୭.୮ ପ୍ରତିଶତ ଅଭିବୃଦ୍ଧି ସହ ବର୍ଦ୍ଧିତ ସେମିକଣ୍ଡକ୍ଟର୍‌ ବ୍ୟବସ୍ଥା ପର୍ଯ୍ୟନ୍ତ ଭାରତ ବତିଘର ସଦୃଶ ହୋଇଥିବା ସେ କହିଛନ୍ତି। ‘ବିକ୍ରମ’ ହେଉଛି ଭାରତର ପ୍ରଥମ ୩୨-ବିଟ୍ ମାଇକ୍ରୋ ପ୍ରୋସେସର୍‌ ଯାହା କଠିନ ପରିସ୍ଥିତିରେ କାମ କରିପାରିବ। ଏହାକୁ ବିଯୁକ୍ତ ୫୫ ଡିଗ୍ରିରୁ ୧୨୫ ଡିଗ୍ରି ତାପମାତ୍ରା ପର୍ଯ୍ୟନ୍ତ ଯେକୌଣସି ପରିସ୍ଥିତି‌ରେ କାମ କରିବା ଲାଗି ଡିଜାଇନ୍ କରାଯାଇଛି। ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର ଓ ସେମିକଣ୍ଡକ୍ଟର୍‌ ଲ୍ୟାବ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ଚିପ୍‌ ୧୮୦ ନାନୋମିଟର ସିଏମ୍‌ଓଏସ୍ ପ୍ରଯୁକ୍ତି ଉପରେ ଆଧାରିତ। ପିଏସ୍‌ଏଲ୍‌ଭି-ସି୬୦ ମିସନ୍‌ ବେଳେ ଏହି ଚିପ୍‌କୁ ପରୀକ୍ଷଣ କରାଯାଇଥିଲା। ଏହି ଚିପ୍‌ର ସମସ୍ତ ସଫ୍ଟୱେର ଟୁଲ୍‌ ଯଥା କମ୍ପାଇଲର୍‌, ଆସେମ୍ବଲର୍‌, ସିମୁଲେଟର ଓ ଇଣ୍ଟିଗ୍ରେଟେଡ୍‌ ଡେଭେଲପ୍‌ମେଣ୍ଟ୍‌ ଏନ୍‌ଭାର୍ଣ୍ଣମେଣ୍ଟକୁ ଇସ୍ରୋ ପକ୍ଷରୁ ବିକାଶ କରାଯାଇଛି। ସେମିକନ୍ ଇଣ୍ଡିଆରେ କଳ୍ପନା ୩୨୦୧ ନାମକ ଆଉ ଏକ ଚିପ୍‌କୁ ମଧ୍ୟ ଉପସ୍ଥାପନ କରାଯାଇଥିଲା। ସେମିକନ୍ ଇଣ୍ଡିଆ ୨୦୨୫ରେ ୧୨ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଦେଶ ଭିତରେ କ୍ୟାମେରା ମଡ୍ୟୁଲ୍‌, ମାଇକ୍ରୋଫୋନ୍ ବଡ୍‌ସ, ମିନିଏଚର୍ ପ୍ୟାକେଜିଂ ଓ ପ୍ରତିଭା ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି। ନୂଆଦିଲ୍ଲୀରେ ଆଜିଠାରୁ ତିନିଦିନିଆ ସେମିକନ୍ ଇଣ୍ଡିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ୩୫୦ରୁ ଅଧିକ ପ୍ରଦର୍ଶନକାରୀ, ୨୫୦୦ରୁ ଅଧିକ ପ୍ରତିନିଧି ଏବଂ ୩୩ ଦେଶରୁ ୧୫୦ରୁ ଅଧିକ ବକ୍ତା ଭାଗ ନେବେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଭାରତକୁ ସେମିକଣ୍ଡକ୍ଟର୍‌ ଡିଜାଇନ୍, ଉତ୍ପାଦ ଓ ପ୍ରଯୁକ୍ତି ବିକାଶର ଏକ ହବ୍‌ରେ ପରିଣତ କରିବା।