ରୁଷ୍କୁ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଅପରାଧ ପାଇଁ ଅନୁମତି ଦିଆଯାଇ ପାରିବନି। ରୁଷ୍କୁ ୟୁକ୍ରେନ ଯୁଦ୍ଧ ପାଇଁ ଦଣ୍ଡିତ କରାଯିବା ଉଚିତ ବୋଲି ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ତାଙ୍କ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଏକ ବିବୃତିରେ କହିଛନ୍ତି। ନୂଆଦିଲ୍ଲୀରେ ବୈଠକ ପରେ କ୍ବାଡ୍ ରାଷ୍ଟ୍ରର ନେତାମାନେ ଏହି ବିବୃତି ରଖିଛନ୍ତି। ୟୁକ୍ରେନରେ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ଧମକ ଦେବା ଅଗ୍ରହଣୀୟ ବୋଲି କ୍ବାଡ୍ ରାଷ୍ଟ୍ର କହିଛନ୍ତି।
ଗତମାସରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ସହ ଏକ ଐତିହାସିକ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ବାତିଲ କରିଦେଇଥିଲେ ଏବଂ ରୁଷ୍ ତା’ର ଆବଶ୍ୟକତା ଅନୁଯାୟୀ ପରିମାଣୁ କାର୍ଯ୍ୟକ୍ରମ ଚଳାଇବ ବୋଲି ଘୋଷଣା କରିଥିଲେ। ଏହାକୁ ଆଜି କ୍ବାଡ୍ ସମ୍ମିଳନୀରେ ଆମେରିକା ବିଦେଶ ମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି। ରୁଷ୍ ୟୁକ୍ରେନରେ ଯେଉଁ ଅପରାଧ ଘଟାଇଛି ଯଦି ଆମେ ଏହାକୁ ଦଣ୍ଡିତ ନକରିବା ତେବେ ଆକ୍ରମଣକାରୀ ସବୁଠି ଆକ୍ରମଣ କରିବେ ଏବଂ ବିନା ଦଣ୍ଡରେ ବି ଖସିଯିବେ ବୋଲି ସେ କହିଛନ୍ତି। ଜି-୨୦ ବୈଠକ ଅବସରରେ ଜୟଶଙ୍କର ଯୁଦ୍ଧ ବନ୍ଦ ପାଇଁ ତତ୍କାଳ ବୈଶ୍ବିକ ସହମତି ଉପରେ ଗୁରୁତ୍ବାରୋପ କରିଥିଲେ।
ବ୍ଲିଙ୍କେନ ମଧ୍ୟ ଗତକାଲି ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାଭରୋଭଙ୍କ ସହ ପ୍ରାୟ ୧୦ ମିନିଟ୍ କଥା ହୋଇଥିଲେ ଏବଂ ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ରୁଷ୍ର ଆଭିମୁଖ୍ୟକୁ ଭର୍ତ୍ସନା କରିଥିଲେ। ଯୁଦ୍ଧ ବନ୍ଦ କରିବା ପାଇଁ ନେଇ ରୁଷ୍ ପଟୁ କୌଣସି ସଙ୍କେତ ମିଳୁନାହିଁ ଏବଂ ସେମାନେ ଅଧିକ ବର୍ବରତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ବ୍ଲିଙ୍କେନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅନ୍ୟପକ୍ଷେ ରୁଷ୍ ବିଦେଶ ମନ୍ତ୍ରୀ କହିଥିଲେ ଯେ ପଶ୍ଚିମ ରାଷ୍ଟ୍ରମାନେ ଆମେରିକା ନେତୃତ୍ବରେ ଯୁଦ୍ଧ ଲମ୍ବାଇବାକୁ ବଡ଼ ଷଡ଼ଯନ୍ତ୍ର କରିଛନ୍ତି ଏବଂ ଏହାକୁ ଫଳବତୀ କରିବା ପାଇଁ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଛନ୍ତି।