କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା, କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା, ଏସ୍.ସି.ବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିଅର ରଞ୍ଜନ କୁମାର ବିଶ୍ୱାଳ। ସୂଚନଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟକ ଏସ୍.ସି.ବି ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ। କଟକ ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ବିସ୍ତୃତ ଆଲୋଚନା କରିଥିଲେ। ସମସ୍ତ ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା ସେବା ସମ୍ପର୍କରେ ମୁଁ ତାଙ୍କୁ ଅବଗତ କରାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ଦିନ ସକାଳୁ ନିଜେ ଏସସିବି ଗସ୍ତ କରି ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସମ୍ପୃକ୍ତ ବିଭାଗ ଓ ଟିମ୍ ପୂର୍ଣ୍ଣ ସମନ୍ୱୟର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ସମ୍ବେଦନଶୀଳ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ ଉଦ୍ବେଗ ଏବଂ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
